ନିୟନ୍ତ୍ରଣ ବାହାରେ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ଦର, ପ୍ରତିବାଦରେ ୬ରେ ବିଜେଡିର ଆନ୍ଦୋଳନ

ଭୁବନେଶ୍ବର : ଆକାଶ ଛୁଆଁ ଦର, ସରକାରଙ୍କ ନାହିଁ ନିଘା । ଅତିଷ୍ଠ ହେଲେଣି ଲୋକେ, ହୁ ହୁ ହୋଇ ବଢୁଛି ଦର । ରୋଷେଇଶାଳରେ ଚଡ଼କ, ଶୋଇଛନ୍ତି ସରକାର । ପ୍ରତିବାଦରେ ୬ରେ ବିଜେଡିର ଆନ୍ଦୋଳନ ଡାକରା । ୧୦୦ ଟଙ୍କାରେ ବ୍ୟାଗ ପୂରୁନାହିଁ । ଡାଲି, ତେଲ, ପିଆଜ, ଆଳୁ ଠାରୁ ଆରମ୍ଭ କରି ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀ ଦର ଆକାଶଛୁଆଁ । ଦରଦାମ ସମସ୍ତଙ୍କୁ ଅତିଷ୍ଠ କଲାଣି। ଗାଆଁ ଗହଳିର ଲୋକଙ୍କୁ ଅଧିକ ବାଧୁଛି ଦରବୃଦ୍ଧି। ଗରିବଙ୍କ ଅବସ୍ଥା ଆହୁରି ଶୋଚନୀୟ। ଅଶୋଧିତ ତୈଳ ଦର ଅନ୍ତର୍ଜାତୀୟ ମାର୍କେଟରେ ଖସିଥିଲେ ସୁଦ୍ଧା ଦରଦାମ କିନ୍ତୁ କମୁନି। ଦରଦାମ ଅହେତୁକ ଭାବେ ବଢିବଢି ଚାଲିଥିବା ବେଳେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଏଥିପ୍ରତି ନିଘା ନାହିଁ । ଲୋକେ ହନ୍ତସନ୍ତ ହେଉଥିବାରୁ ଲୋକଙ୍କ ସ୍ବର ସାଜି ବିଜେଡି ଆସନ୍ତା ୬ ତାରିଖରେ ଆନ୍ଦୋଳନ ମାଧ୍ୟମରେ ଦରଦାମ ବଦ୍ଧିର ପ୍ରତିବାଦ କରିବ। ବିଜେଡିର ବରିଷ୍ଠ ନେତାମାନେ ମିଳିତ ପ୍ରେସମିଟ କରି ଅଭିଯୋଗ କରିଛନ୍ତି ଯେ, ଯେବେଠୁ ଡବଲ ଇଞ୍ଜିନ୍ ସରକାର ଆସିଲା ସେବେଠୁ ଦରଦାମ ହୁ ହୁ ହୋଇ ବଢି ଚାଲିଛି । ସରକାର କୌଣସି ପଦକ୍ଷେପ ନେଉନାହାଁନ୍ତି । ତେଣୁ ଓଡିଶାବାସୀଙ୍କ ସ୍ୱାର୍ଥ ଓ ସ୍ୱାଭିମାନ ପାଇଁ ଦଳ ଲଢେଇ ଜାରି ରଖିବ ବୋଲି ବିଜେଡି କହିଛି । ୬ ତାରିଖ ପରେ ଦରଦାମ ନିୟନ୍ତ୍ରଣ ନହେଲେ ରାଜ୍ଯର ୩୦ ଜିଲ୍ଲାରେ ଆନ୍ଦୋଳନ ତୀବ୍ର କରିବାକୁ ଚେତାବନୀ ଦେଇଛି ବିଜେଡି ।

ଅନ୍ୟପଟେ ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ କହିଛନ୍ତି ଯେ ଦର ବୃଦ୍ଧି ଯୋଗୁଁ ରୋଷେଇ ଘରେ ଚଡ଼କ ପଡ଼ିଛି । ଡବଲ ଇଞ୍ଜିନ୍ ସରକାର ଦରଦାମ ନିୟନ୍ତ୍ରଣରେ ବିଫଳ ହୋଇଛନ୍ତି । ଯେଉଁଥିଲାଗି ବିଜେଡି ଲୋକସେବା ଭବନ ଆଗରେ ବିକ୍ଷୋଭ କରିବାକୁ ନିଷ୍ପତ୍ତି ନେଇଛି । କଂଗ୍ରେସ ମଧ୍ୟ ଦରଦାମ ବୃଦ୍ଧି ନେଇ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଦାୟୀ କରିଛି । ଦରଦାମ ନିୟନ୍ତ୍ରଣ ବାହାରେ  ଥିବା ବେଳେ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ପୁଣିଥରେ ବିତଣ୍ଡା ଯୁକ୍ତି ବାଢିଛନ୍ତି । ଦରଦାମ ନିୟନ୍ତ୍ରଣରେ ରହିଛି ବୋଲି ଯୋଗାଣ ମନ୍ତ୍ରୀ  ଦୋହରାଇବା ସହ ବିଜେଡି ତାର କର୍ତ୍ତବ୍ୟ କରୁଛି ବୋଲି ପାଲଟା ଜବାବ ଦେଇଛନ୍ତି । ୨୦୧୪ରେ ଅଚ୍ଛେ ଦିନର ନାରା ଦେଇ ଏନଡିଏ ସରକାରକୁ ଆସିଥିଲା । ବିଜେଡି ସରକାରରେ ଥିବା ସମୟରେ ବିଜେପି ଆନ୍ଦୋଳନ କରି ରାଜ୍ୟ ଭାଟ ହ୍ରାସ କରୁ ବୋଲି ଚିତ୍କାର କରୁଥିଲା । ସରକାର ଆସିବା ପରେ ନିଜ କଥା ନିଜେ ରଖୁ ବୋଲି ବିଜେଡି ବୁଦ୍ଧି ବତାଇଛି ।