ଦରଦାମ ବୃଦ୍ଧିରେ ଖାଉଟି କଲବଲ, ସହର ଅପେକ୍ଷା ଗାଁ ଲୋକଙ୍କୁ ବାଧୁଛି ବେଶୀ
ଭୁବନେଶ୍ବର : ଆଳୁ, ପିଆଜ, ଅଟା, ଡାଲି ଦର ବୃଦ୍ଧିକୁ ନେଇ ଖାଉଟି ହନ୍ତସନ୍ତ । ଅତ୍ୟାବଶ୍ୟକ ସାମଗ୍ରୀର ଅହେତୁକ ଦର ବୃଦ୍ଧି ଅର୍ଥନୀତି ଉପରେ ପକାଇଛି ପ୍ରଭାବ । ସହର ଅପେକ୍ଷା ଗ୍ରାମାଞ୍ଚଳରେ ଦରବୃଦ୍ଧି ସ୍ଥିତି ସଙ୍କଟଜନକ । ଏହାର ପ୍ରଭାବ ମୁଦ୍ରାସ୍ଫୀତିରେ ବି ଦେଖିବାକୁ ମିଳିଛି । କେନ୍ଦ୍ର ସରକାରଙ୍କ ଦ୍ବାରା ପ୍ରକାଶିତ ଅକ୍ଟୋବର ମାସରେ ରାଜ୍ୟର ମୁଦ୍ରାସ୍ଫୀତି ରିପୋର୍ଟରେ ଓଡ଼ିଶାର ଚିତ୍ର ଦୟନୀୟ। ସାରା ଦେଶରେ ଓଡ଼ିଶା ଦ୍ବିତୀୟ ରାଜ୍ୟ ଭାବେ ମୁଦ୍ରାସ୍ଫୀତିରେ ବୃଦ୍ଧି ଚିନ୍ତାଜନକ। ସେପ୍ଟେମ୍ବରରେ ଓଡ଼ିଶାର ମୁଦ୍ରାସ୍ଫୀତି ୬.୫୬ ଥିବା ବେଳେ ଅକ୍ଟୋବରରେ ଏହା ୭.୫୧ ପ୍ରତିଶତକୁ ବୃଦ୍ଧି ପାଇଛି। ଗ୍ରାମୀଣ ମୁଦ୍ରାସ୍ଫୀତି ୭.୦୩ରୁ ୮.୨୩ ପ୍ରତିଶତକୁ ବୃଦ୍ଧି ପାଇଛି । ଖାଦ୍ୟ ଦ୍ରବ୍ୟର ଅହେତୁକ ଦର ବୃଦ୍ଧି ଏହାର ପ୍ରମୁଖ କାରଣ। ଗ୍ରାମାଞ୍ଚଳରେ ଲୋକଙ୍କ ରୋଜଗାର କମିଥିବାରୁ କ୍ରୟଶକ୍ତି ବି କମିଛି । ରାଜ୍ୟ ସରକାର ଏଥିପ୍ରତି ପ୍ରାଥମିକତା ଦେବା ଉଚିତ ବୋଲି ବିଶେଷଜ୍ଞ କହିଛନ୍ତି।
ଗାଁ ଗଣ୍ଡାରେ ଅସହ୍ୟ ହେଉଛି ଦରଦାମ ଯନ୍ତ୍ରଣା। ଅକ୍ଟୋବର ମାସରେ ଖାଦ୍ୟଶସ୍ୟ, ପନିପରିବା ସହ ବାସଗୃହ, ପୋଷାକ, ଜୋତାର ଦର ବି ବଢିଛି। ସହରାଞ୍ଚଳରେ ବେତନଧାରୀ ଲୋକେ ସ୍ଥିତି ସମ୍ଭାଳିଥିଲେ ବି ଗ୍ରାମାଞ୍ଚଳରେ ସାଧାରଣ ଲୋକେ ହନ୍ତସନ୍ତ ହୋଇଛନ୍ତି । ରିଜର୍ଭ ବ୍ୟାଙ୍କ ମୁଦ୍ରାସ୍ଫୀତି ୬କୁ ଧାର୍ଯ୍ୟ କରିଥିବା ବେଳେ ଏବେ ସାରା ଦେଶର ମୁଦ୍ରାସ୍ଫୀତି ୬.୨୧ପ୍ରତିଶତକୁ ବଢି ବେଲଗାମ ହୋଇପଡ଼ିଛି। ଓଡ଼ିଶାରେ ଖାଦ୍ୟ ଦ୍ରବ୍ୟ ଉତ୍ପାଦନ କମ୍ ଥିବାରୁ ସବୁ ଜିନିଷ ପାଇଁ ବାହାର ରାଜ୍ୟ ଉପରେ ନିର୍ଭର କରିବାକୁ ପଡୁଛି। ନିଜର ଉତ୍ପାଦନ ବଢାଇବା ସାଙ୍ଗକୁ ଚାଷୀଙ୍କୁ ସବସିଡି ଦେବା, ଶୀତଳ ଭଣ୍ଡାର ପ୍ରତିଷ୍ଠା କରିବା ସହିତ ଦରଦାମ ନିୟନ୍ତ୍ରଣ ପାଇଁ ଠୋସ୍ ପଦକ୍ଷେପ ନେବାକୁ ପଡିବ। ନହେଲେ ଆଗକୁ ସ୍ଥିତି ଆହୁରି ସଙ୍କଟ ଭିତରକୁ ଠେଲି ହୋଇଯିବ ବୋଲି ବିଶେଷଜ୍ଞ କହିଛନ୍ତି।
ଅକ୍ଟୋବର ମାସରେ ଛତିଶଗଡ଼ର ଗ୍ରାମୀଣ ମୁଦ୍ରାସ୍ଫୀତି ଦେଶରେ ସର୍ବାଧିକ ୯.୭୦ପ୍ରତିଶତରେ ପହଞ୍ଚିଥିବା ବେଳେ ଓଡ଼ିଶା ୮.୨୩ ପ୍ରତିଶତ ସହ ଦ୍ବିତୀୟ ସ୍ଥାନରେ ପହଞ୍ଚିଛି। ମୌଳିକ ସମସ୍ୟା ପ୍ରତି ରାଜ୍ୟ ସରକାର ନଜର ନ ଦେଇ କେବଳ ପ୍ରଚାର ପ୍ରସାରରେ ମାତିଥିବାରୁ ରାଜ୍ୟ ଅର୍ଥନୀତି ଉପରେ ଏହାର ପ୍ରତିକୂଳ ପ୍ରଭାବ ପଡୁଛି।