ମଧ୍ୟପ୍ରାଚ୍ୟରେ ନିଆଁ, ଭାରତରେ ସଙ୍କଟ

ନନ୍ଦିଘୋଷ ବ୍ୟୁରୋ: ମଧ୍ୟପ୍ରାଚ୍ୟରେ ନିଆଁ, ଭାରତରେ ସଂକଟ। ଲୋହିତ ସାଗରରେ ନୌ-ପରିବହନ ବାଧାପ୍ରାପ୍ତ ହେବାରୁ ବିଦେଶରୁ ଆସୁଥିବା ଖାଦ୍ୟ ସାମଗ୍ରୀ ଓ ଅଶୋଧିତ ତୈଳ ଦର ବଢୁଛି। ଗତ ୨୪ ଘଣ୍ଟାରେ ଅଶୋଧିତ ତୈଳ ଦର ୭୭ ଡଲାରରୁ ବଢି ୭୮ ଡଲାରରେ ପହଞ୍ଚିଲାଣି। ବ୍ୟାରେଲ ୮୦ ଡଲାର ଉପରକୁ ଯାଇପାରେ। ଭାରତ ସରକାର ପ୍ରଭାବ ପଡ଼ିବନି ବୋଲି ଯେତେ କହିଲେ ବି ସ୍ଥିତି ଭଲ ନାହିଁ। ପୂର୍ବରୁ ଅଶୋଧିତ ତୈଳଦର ଆଶାତୀତ ହ୍ରାସ ବେଳେ ବି ପେଟ୍ରୋଲ ଡିଜେଲ୍ ଦର କମାଇନଥିଲେ କେନ୍ଦ୍ର ସରକାର। ସାଧାରଣ ନିର୍ବାଚନରେ ଦର ନକମାଇବାକୁ ମହଙ୍ଗା ନୌ-ପରିବହନକୁ ଆଳ କରିପାରନ୍ତି। ତେଣୁ ଖାଉଟି ଆହୁରି ମହଙ୍ଗା ମାଡ଼ ସହିବେ ସିନା ଆଶ୍ବସ୍ତି ମିଳିବନି।
ବିଗିଡ଼ିଲାଣି ମଧ୍ୟପ୍ରାଚ୍ୟ ସ୍ଥିତି । ଯୁଦ୍ଧ ସ୍ଥିତି ପାଇଁ ବଜାରରେ ଲାଗିଲାଣି ନିଆଁ। କେନ୍ଦ୍ର ସରକାର ଯେତେ ମନାକଲେ ବି ଭାରତରେ ତେଲ, ଡାଲି ମହଙ୍ଗା ହେଲାଣି। ଲୋହିତ ସାଗରରେ ହାଉଥି ବିଦ୍ରୋହୀ, ସୋମାଲିଆ ଜଳଦସ୍ୟୁଙ୍କ ଆକ୍ରମଣ ବଢିଚାଲିଛି। ପ୍ରଭାବିତ ହୋଇଛି ଅନ୍ତରାଷ୍ଟ୍ରୀୟ ନୌ-ପରିବହନ। ଇଉରୋପ ସମେତ ୫୬ଟି ଦେଶରେ ଅତ୍ୟାବଶ୍ୟକ ସାମଗ୍ରୀର ଅଭାବ ଦେଖାଦେଲାଣି। ଭାରତର ରିଫାଇନାରୀ ପାଖରେ ଅଶୋଧିତ ତୈଳ ଷ୍ଟକ୍ ବି ସରିଆସୁଛି। ଅଶୋଧିତ ତୈଳ ଦର ଶସ୍ତା ହେବାରୁ ଭାରତର ତୈଳ ବିପଣନ କମ୍ପାନୀଗୁଡ଼ିକ ଚଳିତ ଆର୍ଥିକ ବର୍ଷର ପ୍ରଥମ, ଦ୍ବିତୀୟ ଓ ତୃତୀୟ ତ୍ରୟମାସିକରେ ପ୍ରଚୁର ଲାଭ କରିଛନ୍ତି । ତୃତୀୟ ତ୍ରୟମାସିକରେ ତୈଳ କମ୍ପାନୀ ଲାଭ କରିଛନ୍ତି ୭୫ହଜାର କୋଟି ।
ଏବେ ପେଟ୍ରୋଲ ଓ ଡିଜେଲ ଲିଟର ପିଛା ୮ରୁ ୧୦ ଟଙ୍କା ଲାଭ କରୁଛନ୍ତି ତୈଳ କମ୍ପାନୀ। ଲୋହିତ ସାଗରରେ ସ୍ଥିତି ବିଗିଡ଼ିବା ପରେ ଗତ ୨୪ ଘଣ୍ଟାରେ ଅଶୋଧିତ ତୈଳ ବ୍ୟାରେଲ୍ ୭୭ ଡଲାରରୁ ୭୮ଡଲାରରେ ପହଞ୍ଚିଛି । ଯଦି ଦର ୮୦ରୁ ୯୦ ଡଲାର ହୁଏ, ତାହେଲେ ତୈଳ କମ୍ପାନୀ କ୍ଷତି ସହିବେ । ଆଗକୁ ସାଧାରଣ ନିର୍ବାଚନ ଥିବାରୁ କେନ୍ଦ୍ର ସରକାର ପେଟ୍ରୋଲ-ଡିଜେଲ ଦର ବୃଦ୍ଧି କରିବାକୁ ଦେବେନି। ଦେଢ଼ବର୍ଷ ହେଲାଣି ପେଟ୍ରୋଲ-ଡିଜେଲ ଦର ହ୍ରାସ ନହେବାରୁ ଲୋକେ ଅତିଷ୍ଟ ହେଲେଣି। ନିର୍ବାଚନ ପୂର୍ବରୁ ତୈଳ ଦର ହ୍ରାସ କରି କେନ୍ଦ୍ର ସରକାର ଲୋକଙ୍କୁ କିଛିଟା ଆଶ୍ବସ୍ତି ଦେବେ ବୋଲି ଆଶ ରଖିଥିଲେ। ହେଲେ ସେ ଆଶା ବି ଏବେ ଫିକା ପଡ଼ିଲାଣି।
ବିକଳ୍ପ ଜଳପଥ ଭାବେ ଦକ୍ଷିଣ ଆଫ୍ରିକାର କେପ୍ ଅଫ୍ ଗୁଡ୍ ହୋପ୍ ଏକମାତ୍ର ବାଟ । କିନ୍ତୁ ପଣ୍ୟବାହୀ ଜାହାଜକୁ ଲମ୍ବା ପଥ ଅତିକ୍ରମ କରିବାକୁ ଥିବାରୁ ନୌ-ପରିବହନ ଖର୍ଚ୍ଚ ଦୁଇଗୁଣ ବୃଦ୍ଧି ପାଇବ। ଏଭଳି ସ୍ଥିତି ଭାରତକୁ ଆସିବାକୁ ଅଶୋଧିତ ତୈଳ, ଡାଲି, ଖାଇବା ତେଲ ଦର ବୃଦ୍ଧି ପାଇବ। ଆଉ ଏହି ବର୍ଦ୍ଧିତ ଦର ଖାଉଟି ଗଣିବେ। ଗଲ୍ଫ ଅଫ୍ ଏଦେନ୍ ବାଟ ଦେଇ ପରିବହନ କରୁଥିବା ୧୮ଟି ଜାହାଜ କମ୍ପାନୀ ବିକଳ୍ପ ଜଳପଥ ଦେଇ ଆସିବାକୁ ସୁରକ୍ଷିତ ମଣୁଛନ୍ତି। ଆସନ୍ତା ଫେବ୍ରୁଆରୀରୁ ୟୁରୋପିଆନ୍ ୟୁନିୟନର ସ୍ବତନ୍ତ୍ର ସେନା ଲୋହିତ ସାହରରେ ପାଟ୍ରୋଲିଂ କରିବେ ବୋଲି ସୂଚନା ମିଳିଛି। ତେବେ ଇସ୍ରାଏଲ-ହମାସ, ଇସ୍ରାଏଲ- ହିଜବୁଲ୍ଲା, ସିରିଆ-ଇରାକ୍ ଓ ପାକିସ୍ତାନ ଉପରେ ଇରାନ୍ର ଆକ୍ରମଣ, ଇରାନ୍ ଉପରେ ପାକିସ୍ତାନର ପାଲଟା ଆକ୍ରମଣ, ମଧ୍ୟପ୍ରାଚ୍ୟରେ ସିହା-ସୁନ୍ନି ବିବାଦ ଅନ୍ତରାଷ୍ଟ୍ରୀୟ ନୌବାଣିଜ୍ୟ ସ୍ଥିତିକୁ ଆହୁରି ସଂଗୀନ କରିଛି।