ରାଷ୍ଟ୍ରପତି ନିର୍ବାଚନ: ରାଷ୍ଟ୍ରପତି ପ୍ରାର୍ଥୀ ହେବା ପାଇଁ ମନା କଲେ ଶରଦ ପାଓ୍ୱାର

ନୂଆଦିଲ୍ଲୀ: ରାଷ୍ଟ୍ରପତି ନିର୍ବାଚନ ପାଇଁ ବିରୋଧୀଙ୍କ ରଣ କୌଶଳ । ଆନୁଷ୍ଠାନିକ ଭାବେ ରାଷ୍ଟ୍ରପତି ପ୍ରାର୍ଥୀ ହେବା ପାଇଁ ମନା କଲେ ଏନସିପି ନେତା ଶରଦ ପାଓ୍ୱାର । ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ନେତୃତ୍ୱରେ ହୋଇଥିବା ବୈଠକରେ ଏନେଇ ବିସ୍ତୃତ ଆଲୋଚନା ହୋଇଛି । ଶରଦ ପାଓ୍ୱାର ମନା କରିବା ପରେ କାହାକୁ ପ୍ରାର୍ଥୀ କରିବେ ତାକୁ ନେଇ ବିଭିନ୍ନ ଦଳ ବୈଠକରେ ଆଲୋଚନା କରିଛନ୍ତି । ୧୬ଟି ଦଳର ନେତା ଏକାଠି ବସି ଆଲୋଚନା କରିଛନ୍ତି ।

ଶରଦଙ୍କ ମନା କରିବା ପରେ ଗୋପାଳ ଗାନ୍ଧୀ ଏବଂ ନ୍ୟାସନାଲ କନଫରେନ୍ସ ନେତା ଫାରୁକ ଅବଦୁଲାଙ୍କ ନାଁକୁ ପ୍ରସ୍ତାବ ଦେଇଛନ୍ତି ମମତା । ଏହି ଦୁଇ ନାଁ ଭିତରେ ଜଣକ ଉପରେ ମୋହର ମରାଯିବ ବୋଲି ଆଲୋଚନା ହୋଇଛି । ଜୁଲାଇ ୧୮ରେ ରାଷ୍ଟ୍ରପତି ନିର୍ବାଚନ ହେବାକୁ ଥିବା ବେଳେ ୨୧ ତାରିଖରେ ପ୍ରକାଶ ପାଇବ ନିର୍ବାଚନ ଫଳ । ଆସନ୍ତା ୨୯ ତାରିଖରେ ରାଷ୍ଟ୍ରପତି ନିର୍ବାଚନ ପାଇଁ ପ୍ରାର୍ଥିପତ୍ର ଦାଖଲ ହେବ ।

ତେବେ ଏହି ବୈଠକରେ ବାମ ଦଳ ଯୋଗ ଦେଇଥିବା ବେଳେ ଟିଆରଏସ ନେତା ଯୋଗ ଦେଇନଥିଲେ । ଅକାଳି ଦଳ ଏବଂ ଆମ ଆଦମୀ ପାର୍ଟି ନେତା ମଧ୍ୟ ଉପସ୍ଥିତ ନଥିଲେ ଏହି ବୈଠକରେ । ଏପେଟ ଏନଡିଏ ତରଫରୁ ମଧ୍ୟ ରାଷ୍ଟ୍ରପତି ନିର୍ବାଚନ ପାଇଁ ତତ୍ପରତା ପ୍ରକାଶ ପାଇଛି । ଆଜି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ମମତା ବାନାର୍ଜୀ, ମଲିକାର୍ଜୁନ ଖଡଗେ ଏବଂ ଅଖିଳେଶ ଯାଦବଙ୍କ ସହ ରାଷ୍ଟ୍ରପତି ନିର୍ବାଚନ ନେଇ ଆଲୋଚନା କରିଛନ୍ତି ।