ପ୍ରଥମ ରାଉଣ୍ଡ ଭୋଟ ଗଣତି ଶେଷ, ଆଗରେ ଦ୍ରୌପଦୀ

ନୂଆଦିଲ୍ଲୀ: କିଏ ହେବେ ନୂଆ ରାଷ୍ଟ୍ରପତି? ଏହାକୁ ନେଇ ଏବେ କଳ୍ପନାଜଳ୍ପନା ଜାରି ରହିଛି । ଆଜି ସକାଳ ୧୧ଟାରୁ ଭୋଟ ଗଣତି ଆରମ୍ଭ ହୋଇଥିଲା । ତେବେ ପ୍ରଥମ ରାଉଣ୍ଡ ଭୋଟ ଗଣତି ଏବେ ଶେଷ ହୋଇଯାଇଛି । ପ୍ରଥମେ ସଂସଦରେ ଗ୍ରହଣ ହୋଇଥିବା ଭୋଟ ଗଣତି ହୋଇଛି । ଏବେ ଏହା ଶେଷ ହୋଇଛି । ଏହାପରେ ସବୁ ରାଜ୍ୟର ଅର୍ଥାତ ବିଧାୟକମାନଙ୍କ ଦ୍ୱାରା ଦିଆଯାଇଥିବା ଭୋଟ ଗଣତି ଆରମ୍ଭ ହେବ । ସଂସଦ ଭବନରେ ୧୮ ତାରିଖରେ ମୋଟ ୭୬୩ ଜଣ ଭୋଟ ଦେଇଥିଲେ । ୭୪୮ ବୈଧ ଭୋଟ ସଂଖ୍ୟା ରହିଛି । ସେହିପରି ୧୫ଟି ଭୋଟ ନାକଚ ହୋଇଯାଇଛି । ୭୪୮ ଭୋଟର ମୋଟ ମୂଲ୍ୟ ୫,୨୩,୬୦୦ ।

୭୪୮ ଭୋଟ ମଧ୍ୟରୁ ଏନଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ୫୪୦ ଖଣ୍ଡ ଭୋଟ ମିଳିଛି । ସେହିପରି ବିରୋଧୀଙ୍କ ପ୍ରାର୍ଥୀ ଯଶୱନ୍ତ ସିହ୍ନାଙ୍କୁ ୨୦୮ ଖଣ୍ଡ ଭୋଟ ମିଳିଛି । ୭୨ ପ୍ରତିଶତ ଭୋଟ ମୁର୍ମୁଙ୍କୁ ମିଳିଛି ପ୍ରଥମ ରାଉଣ୍ଡରେ । ମୁର୍ମୁଙ୍କୁ ମିଳିଥିବା ସାଂସଦଙ୍କ ଭୋଟର ମୋଟ ମୂଲ୍ୟ ୩,୭୮,୦୦୦ ଅଟେ । ଯେତବେଳେ କି ସିହ୍ନାଙ୍କୁ ମିଳିଥିବା ଭୋଟର ମୂଲ୍ୟ ୧,୪୫,୬୦୦ ରହିଛି ।  ତେବେ ଦ୍ୱିତୀୟ ପର୍ଯ୍ୟାୟରେ ୧୦ଟି ରାଜ୍ୟର ବିଧାୟକଙ୍କ ଭୋଟ ଗଣତି ଆରମ୍ଭ ହେବ । ଆଲଫାବେଟ କ୍ରମରେ ରାଜ୍ୟମାନଙ୍କରେ ଭୋଟ ଗଣତି ହେବ । ଏହା ପରେ ଆଗାମୀ ୧୦ ରାଜ୍ୟରେ ବିଧାୟକଙ୍କ ଭୋଟ ଗଣତି ହେବ ।

ପୂର୍ବରୁ ଯେଉଁ ଆକଳନ କରାଯାଉଥିଲା ଫଳାଫଲ ମଧ୍ୟ ସେହିପରି ଆସୁଛି । ମୁର୍ମୁଙ୍କ ବିଜୟ ଏକ ପ୍ରକାର ସୁନିଶ୍ଚିତ ହୋଇଯାଇଛି । ଦ୍ରୌପଦୀ ମୁର୍ମୁଙ୍କ ଗାଁ ମାଟି ରାଇରଙ୍ଗପୁରରେ ମଧ୍ୟ ଭିଡ଼ ଜମିବାରେ ଲାଗିଛି । ପାରମ୍ପରିକ ନୃତ୍ୟ ଗୀତରେ ଗାଁରେ ଆସର ଜମିଛି । ବିଜୟ ଉତ୍ସବ ପାଇଁ ସବୁ ପ୍ରକାର ପ୍ରସ୍ତୁତି ଗାଁରେ କରାଯାଇଛି । ଲୋକମାନେ କେବଳ ଔପଚାରିକ ଘୋଷଣାକୁ ଅପେକ୍ଷା କରିଛନ୍ତି ।