ଆସନ୍ତାକାଲି ରାଷ୍ଟ୍ରପତି ନିର୍ବାଚନ, ୧୦ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଭୋଟିଂ

ଭୁବନେଶ୍ୱର: ଆସନ୍ତାକାଲି ରାଷ୍ଟ୍ରପତି ନିର୍ବାଚନ । ଭାରତର ୧୬ତମ ରାଷ୍ଟ୍ରପତି ବାଛିବ ଦେଶ । ଏଥିପାଇଁ ଶେଷ ପର୍ଯ୍ୟାୟରେ ପ୍ରସ୍ତୁତି । ଓଡ଼ିଶା ବିଧାନସଭା ପକ୍ଷରୁ ସବୁ ପ୍ରସ୍ତୁତି ଶେଷ ହୋଇଛି । ବିଧାନସଭାର ୫୪ ନମ୍ବର ପ୍ରକୋଷ୍ଠକୁ ବୁଥ୍ କେନ୍ଦ୍ର କରାଯାଇଛି । ସକାଳ ୧୦ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଭୋଟ ଗ୍ରହଣ ହେବ । ସାଂସଦମାନେ ଚାହିଁଲେ ଏଠାରେ ନିଜର ମତ ସାବ୍ୟସ୍ତ କରିପାରିବେ । ନିର୍ବାଚନ ପାଇଁ ରିଟର୍ଣ୍ଣିଂ ଅଫିସର ସହ ଅନ୍ୟ ଅଧିକାରୀମାନଙ୍କୁ ନିଯୁକ୍ତି ଦିଆଯାଇଛି ।

ସେପଟେ ମାଟିର ଝିଅକୁ ଦେଶର ଶୀର୍ଷ ପଦରେ ବସାଇବାକୁ ଲାଗିପଡ଼ିଛି ବିଜେଡି । ଦଳମତ ନିର୍ବିଶେଷରେ ୧୪୭ ଜଣ ବିଧାୟକଙ୍କ ଭୋଟ ଦ୍ରୌପଦୀଙ୍କ ସପକ୍ଷରେ କେମିତି ଯିବ, ସେ ନେଇ ବିଜେଡି କରୁଛି ପ୍ରୟାସ । ମତଦାନ ବେଳେ ଗୋଟିଏ ବି ଭୋଟ ଯେମିତି ନାକଚ ନହେବ ତାକୁ ଗୁରୁତ୍ୱ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏଥିଲାଗି ବିଜେଡିର ସମସ୍ତ ବିଧାୟକ ଓ ସାଂସଦଙ୍କୁ ଭୋଟର ଦିନକ ପୂର୍ବରୁ ପ୍ରଶିକ୍ଷଣ ଦିଆଯାଇଛି । ବିଧାନସଭାରେ ୫ ଜଣିଆ ଟିମ୍ କରାଯାଇ ବିଧାୟକମାନଙ୍କୁ ଭୋଟ ପାଇଁ ଟ୍ରେନିଂ ଦିଆଯାଇଛି । ସେହିପରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ସାଂସଦମାନଙ୍କୁ ନବୀନ ନିବାସରେ ମଧ୍ୟ ଟ୍ରେନିଂ ଦିଆଯାଇଛି ।