ଦେଶ ବାଛୁଛି ନୂଆ ରାଷ୍ଟ୍ରପତି; ସଂସଦରେ ଭୋଟ ଦେଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଦେଶ ବାଛୁଛି ନୂଆ ରାଷ୍ଟ୍ରପତି । ଚାଲିଛି ରାଷ୍ଟ୍ରପତି ନିର୍ବାଚନ ପାଇଁ ମତଦାନ । ସଂସଦ ଭବନର ୬୩ ନମ୍ବର ପ୍ରକୋଷ୍ଠରେ ମତାଧିକାର ସାବ୍ୟସ୍ତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ବାଲାଟ ପେପରରେ ଭୋଟ ଦେଉଛନ୍ତି ସାଂସଦ । ସବୁ ରାଜ୍ୟରେ ମଧ୍ୟ ଉଭୟ ସାଂସଦ ଓ ବିଧାୟକ ଭୋଟ ଦେଉଛନ୍ତି ।

ଏପଟେ ରାଜ୍ୟ ବିଧାନସଭାରେ ରାଷ୍ଟ୍ରପତି ନିର୍ବାଚନ ପାଇଁ ନିଜର ମତାଧିକାର ସାବ୍ୟସ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟ । ସେହିପରି ଅନ୍ୟ ବିଧାୟକମାନେ ମଧ୍ୟ ଭୋଟ ଦେଉଛନ୍ତି । ନିର୍ବାଚନ ପ୍ରକ୍ରିୟାରେ ଭାଗ ନେବେ ୭୭୬ ସାଂସଦ ଓ ୪ ହଜାରରୁ ଅଧିକ ବିଧାୟକ । ଏନଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ ବନାମ ମିଳିତ ବିରୋଧୀ ପ୍ରାର୍ଥୀ ଯଶଓ୍ବନ୍ତ ସିହ୍ନା । ସଂଖ୍ୟା ଗଣିତ କହୁଛି ଏନଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ ବହୁ ଭୋଟରେ ବିଜୟୀ ହେବେ । ଦ୍ରୌପଦୀଙ୍କୁ ବିଜେପି, ବିଜେଡି, ଓ୍ବାଇଏସଆରସିପି, ଟିଡିପି, ଜେଡିଏସ, ଜେଡିୟୁ, ବିଏସପି, ଶିରୋମଣି ଅକାଳୀ ଦଳ, ଶିବସେନା, ଜେଏମଏମ, ଏଆଇଏଡିଏମକେ, ଏଲଜେପି ସମେତ ପ୍ରାୟ ୩୦ ଦଳର ସମର୍ଥନ ମିଳୁଛି ।

ସେହିପରି ବିରୋଧୀ ଦଳ ପ୍ରାର୍ଥୀ ଯଶଓ୍ବନ୍ତ ସିହ୍ନାଙ୍କୁ ସମର୍ଥନ କରୁଛନ୍ତି କଂଗ୍ରେସ, ଏସପି, ଆପ୍, ଟିଏମସି, ସିପିଆଇ, ସିପିଏମ, ଏନସିପି, ଏନସି, ଆରଜେଡି, ଆରଏଲଡି, ଟିଆରଏସ, ଡିଏମକେ ଆଦି ପ୍ରାୟ ୨୦ ଦଳ । ଦେଶର ସମସ୍ତ ସାଂସଦ ଓ ବିଧାୟକଙ୍କ ମୋଟ ଭୋଟ ମୂଲ୍ୟ ୧୦ ଲକ୍ଷ ୮୬ ହଜାର ୪୩୧ ହୋଇଥିବା ବେଳେ ବିଜୟ ଲାଗି ଆବଶ୍ୟକ ୫ ଲକ୍ଷ ୪୩ ହଜାର ୨୧୫ ଭୋଟ।

ଆଜି ରାଷ୍ଟ୍ରପତି ନିର୍ବାଚନ ପାଇଁ ଭୋଟିଂ ହେଉଥିବା ବେଳେ ଆସନ୍ତା ୨୧ ତାରିଖରେ ସଂସଦ ଭବନରେ ଭୋଟ୍‌ ଗଣତି ହେବ। ସେହିପରି ନୂଆ ରାଷ୍ଟ୍ରପତି ଜୁଲାଇ ୨୫ ଶପଥ ଗ୍ରହଣ କରିବେ। ଏବେ ଦେଶର ରାଷ୍ଟ୍ରପତି ଥିବା ରାମନାଥ କୋବିନ୍ଦଙ୍କ କାର୍ଯ୍ୟକାଳ ଜୁଲାଇ ୨୪ରେ ଶେଷ ହେବ।