ରାଷ୍ଟ୍ରପତି ନିର୍ବାଚନ ପାଇଁ ଓଡ଼ିଶା ପ୍ରସ୍ତୁତ, ସକାଳ ୧୦ଟାରୁ ସଂଧ୍ୟା ୫ଟା ପର୍ଯ୍ୟନ୍ତ ଭୋଟିଂ

ଭୁବନେଶ୍ୱର: ଆଜି ରାଷ୍ଟ୍ରପତି ନିର୍ବାଚନ। ଏଥପାଇଁ ଓଡ଼ିଶା ବିଧାନସଭାରେ ସରିଛି ସମସ୍ତ ପ୍ରସ୍ତୁତି । ଆଜି ସକାଳ ୧୦ଟାରୁ ସଂଧ୍ୟା ୫ଟା ପର୍ଯ୍ୟନ୍ତ ଭୋଟଗ୍ରହଣ କରାଯିବ। ୧୪୭ ବିଧାୟକ ନିଜର ମତ ସାବ୍ୟସ୍ତ କରିବେ । ଏହାସହ ସାଂସଦମାନେ ଚାହିଁଲେ ବିଧାନସାଭାରେ ନିଜର ମତ ସାବ୍ୟସ୍ତ କରିପାରିବେ । ନିର୍ବାଚନ ପାଇଁ ରିଟର୍ଣ୍ଣିଂ ଅଫିସରଙ୍କ ସହ ଅନ୍ୟ ଅଧିକାରୀମାନେ ନିଯୁକ୍ତ ହୋଇଛନ୍ତି।

ମାଟିର ଝିଅ ଦ୍ରୌପଦୀ ମୁର୍ମୁଙ୍କୁ ବିଜେଡି ପୂରା ସମର୍ଥନ କରିଛି। ଆଜି ଦଳର ସମସ୍ତ ବିଧାୟକ ଓ ସାଂସଦମାନେ ଦ୍ରୌପଦୀଙ୍କୁ ଭୋଟ ଦେବେ। ଦଳମତ ନିର୍ବିଶେଷରେ ୧୪୭ ଜଣ ବିଧାୟକଙ୍କ ଭୋଟ ଦ୍ରୌପଦୀଙ୍କ ସପକ୍ଷରେ କେମିତି ଯିବ, ସେ ନେଇ ବିଜେଡି କରୁଛି ପ୍ରୟାସ। ଦ୍ରୌପଦୀ ମୁର୍ମୁଙ୍କୁ ରାଇସିନା ହିଲକୁ ପଠାଇବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଭିନ୍ନ ଦଳର ସମର୍ଥନ ଯୋଗାଡ଼ କରିଛନ୍ତି । ମତଦାନ ବେଳେ ଗୋଟିଏ ବି ଭୋଟ ଯେମିତି ନାକଚ ନହେବ ତାକୁ ଗୁରୁତ୍ୱ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।