ରାଷ୍ଟ୍ରପତି ନିର୍ବାଚନ: ପାଓ୍ବାର ପ୍ଲେରେ ବିଜେଡିର ବଢୁଛି ଦବଦବା

ଭୁବନେଶ୍ବର: ଜାତୀୟ ରାଜନୀତିରେ ବଢୁଛି ବିଜେଡିର ଦବଦବା  । ବିଶେଷ କରି ଏବେ ରାଷ୍ଟ୍ରପତି ନିର୍ବାଚନରେ ନିର୍ଣ୍ଣାୟକ ଭୂମିକା ନେବାକୁ ଯାଉଥିବାରୁ ନବୀନଙ୍କ ଆଭିମୁଖ୍ୟ ନେଇ ଚାଲିଛି ଅଙ୍କକଷା । ସ୍ଥିତି ଏପରି ହୋଇଛି ଯେ, ବିନା ବିଜେଡି ଭୋଟରେ ନା ଏନଡିଏ କିମ୍ବା ବିରୋଧୀ ମଞ୍ଚ ମହାମହିମ ନିର୍ବାଚନ ବୈତରଣୀ ପାର ହୋଇପାରିବେନି  । ସମଦୂରତା ବଜାୟ ରଖୁଥିବା ନବୀନଙ୍କ ସମର୍ଥନ କାହାକୁ ରହିବ ?  ନବୀନ ନିଷ୍ପତ୍ତି ନେବା ଆଗରୁ, ଏନଡିଏ ଓ ବିରୋଧୀ ମନେଇବାକୁ ତତ୍ପର ହୋଇଉଠିଛନ୍ତି । ଯାହାକୁ ନେଇ ଉଷ୍ମ ହୋଇଛି ରାଜ୍ୟ ରାଜନୀତି । ନବୀନ କିନ୍ତୁ ରାଷ୍ଟ୍ରପତି ନିର୍ବାଚନ ନେଇ ନିଜର କାର୍ଡ ଖୋଲିନାହାନ୍ତି ।

ବିଜ୍ଞପ୍ତି ପ୍ରକାଶ ପରେ ରୋଚକ ହେଉଛି ରାଷ୍ଟ୍ରପତି ନିର୍ବାଚନ  । ଦିଲ୍ଲୀରୁ ଓଡ଼ିଶା, ଉଷ୍ମ ହେଉଛି ରାଜନୀତି । କେଉଁ ଦଳର ଆଭିମୁଖ୍ୟ କ’ଣ ?  କିଏ କାହାକୁ କରିବ ସମର୍ଥନ ?  କିଏ କାହାଠାରୁ ଦୂରେଇ ଯିବ ?  ତାକୁ ନେଇ ଚାଲିଛି କସରତ ଓ ଅଙ୍କକଷା । ଗେମ ଚେଞ୍ଜର ଭୂମିକାରେ ବିଜୁ ଜନତା ଦଳ । ରାଷ୍ଟ୍ରପତି ନିର୍ବାଚନରେ ଦେଶର ଶକ୍ତିଶାଳୀ ଆଞ୍ଚଳିକ ଦଳ ଭାବେ ଉଭା ହୋଇଥିବା ବିଜୁ ଜନତା ଦଳ ଉପରେ ଏବେ ସବୁ ରାଜନୈତିକ ଓ ସମୀକ୍ଷକଙ୍କ ନଜର । ଶକ୍ତିଶାଳୀ ଆଞ୍ଚଳିକ ଦଳ ଭାବେ ଜାତୀୟ ରାଜନୀତିରେ ସ୍ବତନ୍ତ୍ର ସ୍ଥାନ ନେଇଥିବା ବିଜେଡିର ସହଯୋଗ ଏବେ ସଭିଁଙ୍କୁ ଲୋଡ଼ା । ଯେଉଁଥି ପାଇଁ କେନ୍ଦ୍ରରେ ଥିବା ଏନଡିଏ ସରକାର ଓ ମିଳିତ ବିରୋଧୀ ମଞ୍ଚ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହଯୋଗ ଲୋଡ଼ିଛନ୍ତି । ରାଷ୍ଟ୍ରପତି ନିର୍ବାଚନରେ ଗେମ ଚେଞ୍ଜର ଭୂମିକାରେ ଥିବେ ବିଜେଡି କାହାକୁ ସମର୍ଥନ କରିବ ତାହା ଉପରେ ଦେଶବାସୀଙ୍କ ନଜର । ରାଜ୍ୟସ୍ବାର୍ଥକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସଠିକ ସମୟରେ ସଠିକ ନିଷ୍ପତ୍ତି ନେଇଥାନ୍ତି ବୋଲି କହିଛି ବିଜେଡି । ରାଜନୈତିକ ସମୀକ୍ଷକମାନେ ବିଜେଡି ଭୂମିକା ରାଷ୍ଟ୍ରପତି ନିର୍ବାଚନରେ ଗୁରୁତ୍ବପୂର୍ଣ୍ଣ ରହିବ ବୋଲି କହିଛନ୍ତି ବିଜେଡି ସାଂସଦ ମାନସ ମଙ୍ଗରାଜ ।

ସେପଟେ ରାଷ୍ଟ୍ରପତି ନିର୍ବାଚନକୁ ସହମତିରେ କରିବା ପାଇଁ କେନ୍ଦ୍ରର ବିଜେପି ସରକାର ଅଣ୍ଟା ଭିଡିଛନ୍ତି । ଏଥିଲାଗି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ବିଭିନ୍ନ ଆଞ୍ଚଳିକ ଦଳକୁ ସୁପ୍ରିମୋଙ୍କ ସହ ଆଲୋଚନା କରିଛନ୍ତି । କଂଗ୍ରେସ କିନ୍ତୁ ରାଷ୍ଟ୍ରପତି ନିର୍ବାଚନ ନେଇ ଭିନ୍ନ ଯୁକ୍ତି ବାଢିଛି । ବିଜେଡି ରାଷ୍ଟ୍ରପତି ନିର୍ବାଚନରେ ନିର୍ଣ୍ଣାୟକ ଭୂମିକା ନେବାକୁ ଯାଉଛି । କେନ୍ଦ୍ରରେ ଉଭୟ ଶାସକ ଓ ବିରୋଧୀ ଦଳମାନଙ୍କ ପାଖରେ ଆବଶ୍ୟକ ଭୋଟ ମୂଲ୍ୟ ନାହିଁ । ତେଣୁ ସ୍ବାଭାବିକ ଭାବେ ଶାସକ ଦଳ ଓ ବିରୋଧୀ ବିଜେଡିର ସମର୍ଥନ ଲୋଡ଼ିଛନ୍ତି ବୋଲି ବିଜେଡି କହିଛି ।

ରାଷ୍ଟ୍ରପତି ନିର୍ବାଚନ ପାଇଁ ଜୁନ ୨୯ ତାରିଖ ପର୍ଯ୍ୟନ୍ତ ନାମାଙ୍କନ ଦାଖଲ ଜାରି ରହିବ । ୩୦ ତାରିଖ ଦିନ ଯାଞ୍ଚ ଓ ଜୁଲାଇ ୨ ତାରିଖ ପ୍ରାର୍ଥିପତ୍ର ପ୍ରତ୍ୟାହାରର ରହିଛି ତାରିଖ । ଏଯାଏଁ କିନ୍ତୁ ଏନଡିଏ କିମ୍ବା ମିଳିତ ବିରୋଧୀ ମଞ୍ଚ ପକ୍ଷରୁ କୌଣସି ପ୍ରାର୍ଥୀଙ୍କ ନାଁ ଘୋଷଣା କରାଯାଇନାହିଁ ।