ଆଜି ରାଷ୍ଟ୍ରପତି ନିର୍ବାଚନ: କାହାକୁ ମିଳିବ ଦେଶର ସର୍ବୋଚ୍ଚ ପଦବୀ ?

ନୂଆଦିଲ୍ଲୀ : ଆଜି ରାଷ୍ଟ୍ରପତି ନିର୍ବାଚନ। ନିର୍ବାଚନ ପ୍ରକ୍ରିୟାରେ ୭୭୬ ସାଂସଦ ଓ ୪ହଜାରରୁ ଅଧିକ ବିଧାୟକ ଭାଗ ନେବେ। ଉଭୟ ସାଂସଦ ଓ ବିଧାୟକଙ୍କ ଲାଗି ସଂସଦ ଓ ବିଧାନସଭାରେ ବ୍ୟବସ୍ଥା କରାଯାଛି । ଭୋଟ ନାକଚ ନ ହେବା ଲାଗି ସମସ୍ତଙ୍କୁ ତାଲିମ ଦିଆଯାଇଛି। ଏନଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ ବନାମ ମିଳିତ ବିରୋଧୀ ପ୍ରାର୍ଥୀ ଯଶଓ୍ବନ୍ତ ସିହ୍ନା ।

ତେବେ ସଂଖ୍ୟା ଗଣିତ କହୁଛି ଏନଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ ବହୁ ଭୋଟରେ ବିଜୟୀ ହେବେ । ଦ୍ରୌପଦୀଙ୍କୁ ବିଜେପି, ବିଜେଡି, ଓ୍ବାଇଏସଆରସିପି, ଟିଡିପି, ଜେଡିଏସ, ଜେଡିୟୁ, ବିଏସପି, ଶିରୋମଣି ଅକାଳୀ ଦଳ, ଶିବସେନା, ଜେଏମଏମ, ଏଆଇଏଡିଏମକେ, ଏଲଜେପି ସମେତ ପ୍ରାୟ ୩୦ ଦଳର ସମର୍ଥନ ମିଳୁଛି।

ସେହିଭଳି ବିରୋଧୀ ଦଳ ପ୍ରାର୍ଥୀ ଯଶଓ୍ବନ୍ତ ସିହ୍ନାଙ୍କୁ କଂଗ୍ରେସ, ଏସପି, ଆପ୍, ଟିଏମସି, ସିପିଆଇ, ସିପିଏମ, ଏନସିପି, ଏନସି, ଆରଜେଡି, ଆରଏଲଡି, ଟିଆରଏସ, ଡିଏମକେ ଆଦି ପ୍ରାୟ ୨୦ ଦଳ ସମର୍ଥନ କରୁଛନ୍ତି । ଆଦର୍ଶଗତ ଦୃଷ୍ଟିରୁ ଭୋଟ ଦେବା ଲାଗି ବିଭିନ୍ନ ଦଳକୁ ଅନୁରୋଧ କରିଛନ୍ତି ସିହ୍ନା । ଦେଶର ସମସ୍ତ ସାଂସଦ ଓ ବିଧାୟକଙ୍କ ମୋଟ ଭୋଟ ମୂଲ୍ୟ ୧୦ ଲକ୍ଷ ୮୬ ହଜାର ୪୩୧ ହୋଇଥିବାବେଳେ ବିଜୟ ଲାଗି ଆବଶ୍ୟକ ୫ ଲକ୍ଷ ୪୩ ହଜାର ୨୧୫ ଭୋଟ ।