ବଳଗଣ୍ଡି ଛକରୁ ବଡ଼ଦେଉଳକୁ ଚାଲିଚାଲି ଗଲେ ରାଷ୍ଟ୍ରପତି, ବଡ଼ଦାଣ୍ଡରୁ ହାତ ଟେକି ପ୍ରଣାମ

ପୁରୀ: ବଡ଼ଦାଣ୍ଡରେ ମଥା ନୋଇଁଲେ ମହାମହିମ । କାରକେଡ ନୁହେଁ ଶ୍ରୀକ୍ଷେତ୍ରରେ ପହଞ୍ଚି ବଳଗଣ୍ଡି ଛକରୁ ବଡ଼ଦେଉଳକୁ ଚାଲିଚାଲି ଗଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ବଡ଼ଦାଣ୍ଡରେ ସାଧାରଣ ଲୋକଟିଏ ପରି ହାତ ଟେକି ମହାବାହୁଙ୍କୁ ପ୍ରଣାମ କରି ସିଂହଦ୍ବାର ସମ୍ମୁଖରେ ପହଞ୍ଚିଥିଲେ । ଦ୍ରୌପଦୀଙ୍କୁ ଦେଖିବାକୁ ଦୁଇ କଡ଼ରେ ଜମିଥିଲା ଖଚାଖଚ ଭିଡ଼ ।

ବିଭିନ୍ନ ସ୍କୁଲର ଛାତ୍ରଛାତ୍ରୀଙ୍କୁ ହତ ହଲେଇ ଅଭିବାଦନ ଗ୍ରହଣ କରିବା ସହ ସେମାନଙ୍କ ସହ ଫଟୋ ଉଠାଇଥିଲେ । ଏହାପରେ ଅରୁଣ ସ୍ତମ୍ଭ ଛୁଇଁ ଶ୍ରୀମନ୍ଦିରକୁ ପ୍ରବେଶ କରିଥିଲେ ରାଷ୍ଟ୍ରପତି । ମନ୍ଦିରକୁ ପାଛୋଟି ନେଇଥିଲେ କୌଳିକ ସେବାୟତ । ଶ୍ରୀଜିଉଙ୍କୁ ଦର୍ଶନ କରି ଫେରିବା ପରେ ସେବାୟତଙ୍କ ପକ୍ଷରୁ ଶ୍ରୀଜିଉଙ୍କ ପଟ୍ଟଚିତ୍ର ମହାମହିମଙ୍କୁ ପ୍ରଦାନ କରାଯାଇଥିଲା ।

ଚତୁର୍ଦ୍ଧାମୂରତୀଙ୍କୁ ଦର୍ଶନ କରି ସେ ଖୁବ ଖୁସି ବୋଲି କହିଥିଲେ । ଏହାପରେ ସିଂହଦ୍ବାର ନିକଟରେ ଥିବା ଉତ୍କଳମଣି ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ । ସିଧାସଳଖ ରାଜଭବନ ଯାଇ ମହାପ୍ରସାଦ ସେବନ କରିବା ବ୍ୟବସ୍ଥା ହୋଇଛି । ଶ୍ରୀମନ୍ଦିର ନିକଟରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଓ ଗଜପତି ମହାରାଜ ଉପସ୍ଥିତ ଥିଲେ । ୨ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି ମହାମହିମ । ସକାଳୁ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିବା ପରେ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ ରାଷ୍ଟ୍ରପତିଙ୍କୁ ଭବ୍ୟ ସ୍ବାଗତ କରିଥିଲେ । ବିମାନ ବନ୍ଦର ପରିସରରେ ରାଷ୍ଟ୍ରପତିଙ୍କୁ ଗାର୍ଡ ଅଫ ଅନର ପ୍ରଦାନ କରାଯାଇଥିଲା । ମୁଖ୍ୟ ଶାସନ ସଚିବ, ପୋଲିସ ଡିଜି, ମେୟର ପ୍ରମୁଖ ଉପସ୍ଥିତ ଥିଲେ ।