ଆଜି ପାରାଦୀପରେ ବୋଇତ ବନ୍ଦାଣ କାର୍ଯ୍ୟକ୍ରମର ଉଦଘାଟନ କରିବେ ରାଷ୍ଟ୍ରପତି

ଭୁବନେଶ୍ବର: ଓଡ଼ିଶାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଆଜି କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ପାରାଦୀପ ଗସ୍ତ କରିବେ ମହାମହିମ । ସେଠାରେ ହେବାକୁ ଥିବା ବୋଇତ ବନ୍ଦାଣ କାର୍ଯ୍ୟକ୍ରମରେ ଯୋଗଦେବେ । ପାରାଦୀପ ବନ୍ଦର ପକ୍ଷରୁ ଆୟୋଜିତ ହେଉଥିବା ବୋଇତ ବନ୍ଦାଣ କାର୍ଯ୍ୟକ୍ରମ ଉଦଘାଟନ କରିବେ ରାଷ୍ଟ୍ରପତି । ଗୋପବନ୍ଧୁ ଷ୍ଟାଡିୟମରେ ସ୍ବତନ୍ତ୍ର ହେଲିକପ୍ଟର ଯୋଗେ ଅବତରଣ କରିବା ପରେ କଡ଼ା ସୁରକ୍ଷା ବଳୟରେ ବିମାନ ବନ୍ଦରର ୪ ନମ୍ବର ଗେଟ ଦେଇ ଓ୍ବେଟ ବେସିନର ସଭାସ୍ଥଳକୁ ଯିବେ । ସେଠାରେ ବୋଇତ ବନ୍ଦାଣ କରିବା ପରେ ନିଜର ଅଭିଭାଷଣ ରଖିବେ ।

ସେଠାରୁ ନେହେରୁବଙ୍ଗଳା ଗେଷ୍ଟ ହାଉସକୁ ଯାଇ ସ୍ଥାନୀୟ ମତ୍ସ୍ୟଜୀବୀଙ୍କ ସହିତ ଆଲୋଚନା କରିବା ପରେ ମଧ୍ଯାହ୍ନ ଭୋଜନ ସାରି ଭୁବନେଶ୍ବର ଫେରିବେ । ରାଜଭବନରେ କିଛି ସମୟ ବିଶ୍ରାମ ପରେ ପୁଣି ଦିଲ୍ଲୀ ଫେରିଯିବେ ରାଷ୍ଟ୍ରପତି । ମହାମହିମଙ୍କ ଗସ୍ତ ପାଇଁ ୧୬ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ ହୋଇଛନ୍ତି । ଗତକାଲି ସନ୍ଧ୍ୟାରେ ବାୟୁସେନାର ସ୍ବତନ୍ତ୍ର ବିମାନ ଯୋଗେ ଭୁବନେଶ୍ବରରେ ପହଞ୍ଚିଥିଲେ ରାଷ୍ଟ୍ରପତି । ବିମାନବନ୍ଦରରେ ରାଷ୍ଟ୍ରପତିଙ୍କୁ ସ୍ବାଗତ କରିଥିଲେ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ ।