ଜ୍ଞାନପ୍ରଭା ମିଶନର ପ୍ରତିଷ୍ଠା ଉତ୍ସବରେ ମହାମହିମଙ୍କ ଅଭିଭାଷଣ, କହିଲେ ବାପା ମା’ଙ୍କ ସେବା ହିଁ ଶ୍ରେଷ୍ଠ ଧର୍ମ

ଭୁବନେଶ୍ୱର: ବାପା, ମାଆଙ୍କ ଫଟୋ ପୂଜା ନୁହେଁ ଯତ୍ନ ନେବା ହିଁ ଶ୍ରେଷ୍ଠ ଧର୍ମ । ବାପା, ମାଆ ସବୁବେଳେ ତ୍ୟାଗ, ବଳିଦାନ, ସାହସ, ସ୍ନେହ, ଶ୍ରଦ୍ଧା, ମମତାର ପ୍ରତୀକ । ଉତ୍କଳ ମଣ୍ଡପରେ ଆୟୋଜିତ ଜ୍ଞାନପ୍ରଭା ମିଶନର ପ୍ରତିଷ୍ଠା ଉତ୍ସବରେ ଯୋଗ ଦେଇ ଏହା କହିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଜୟ ଜଗନ୍ନାଥ କହି ଅଭିଭାଷଣ ଆରମ୍ଭ କରିଥିଲେ ରାଷ୍ଟ୍ରପତି । ମାତୃଶକ୍ତି ଉତ୍ଥାନ ସଂସ୍ଥାରେ ପହଞ୍ଚି ମାଆଙ୍କୁ ମନେ ପକାଇ ଭାବବିହ୍ବଳ ହୋଇଥିଲେ ରାଷ୍ଟ୍ରପତି । ନାରୀ ହେଉଛି ନାରାୟଣୀ, କଲ୍ୟାଣକାରୀ, ଚିର ନମସ୍ୟା । ମାତୃଶକ୍ତି ଅନ୍ତର୍ଜ୍ୟୋତି ଜାଗ୍ରତ କରି ସୁସ୍ଥ ମାନବ ସମାଜ ଗଠନ ଲକ୍ଷ୍ୟରେ ଅନୁଷ୍ଠାନ ପ୍ରତିଷ୍ଠା କରାଯାଇଛି । ଜଣେ ଆଦର୍ଶ ଜନନୀ ପରମହଂସ ଜଗାନନ୍ଦଙ୍କ ମାଆ ଜ୍ଞାନପ୍ରଭାଙ୍କ ନାଁରେ ଅନୁଷ୍ଠାନ ନାମିତ ହେବା, ଆଧ୍ୟାତ୍ମିକ ଜଗତରେ ନାରୀ ସଂଗଠନ ପ୍ରତିଷ୍ଠା ହେବା ଗୌରବର କଥା। ମାତୃ କରୁଣା ଓ ପ୍ରେରଣା ମଣିଷକୁ ଅସାଧାରଣ ବ୍ୟକ୍ତିତ୍ବରେ ପରିଣତ କରେ ।

ଜ୍ଞାନପ୍ରଭା ମିଶନର ଉତ୍ତରୋତ୍ତର ଉନ୍ନତି କାମନା କରିଛନ୍ତି ରାଷ୍ଟ୍ରପତି । ଭାରତ ଯୁଗେ ଯୁଗେ ତପସ୍ବୀ, ବିଦୂଷୀ ମାନଙ୍କ ତ୍ୟାଗରେ ମହିମାମଣ୍ତିତ । ଜ୍ଞାନପ୍ରଭା ମିଶନରେ କୁମାରୀମାନଙ୍କୁ ନେଇ ସାଧନା ଶିବିର ଆୟୋଜନ କରାଯାଉଛି। ଅନୁଷ୍ଠାନ କ୍ରିୟାଯୋଗର ପ୍ରଚାର ପ୍ରସାର ପାଇଁ କାମ କରୁଛି । ଯୋଗଯୁକ୍ତ ହେଲେ ରୋଗମୁକ୍ତ ହୋଇପାରିବା । ବିଶ୍ବ ଯୋଗର ମହତ୍ତ୍ବ ଉପଲବ୍ଧି କରିଛି । ସୁସ୍ଥତା କହିଲେ ଶାରୀରିକ ଓ ମାନସିକ ସୁସ୍ଥତାକୁ ବୁଝାଏ । ମାନସିକ ଶୁଦ୍ଧି ପାଇଁ ଯୋଗର ଆବଶ୍ୟକତା ରହିଛି । ସାମାଜିକ ଓ ଆର୍ଥିକ ଉତ୍ଥାନ ସହ ଆଧ୍ୟାତ୍ମିକ ବିକାଶ  ଆବଶ୍ୟକ । ଶିକ୍ଷାର ବିସ୍ତାର ହେଲେ ମଧ୍ୟ ଆଧ୍ୟାତ୍ମିକ ଓ ନୈତିକ ଶକ୍ତିର ବିକାଶ ଜରୁରୀ । କେବଳ ବସ୍ତୁ ପଛରେ ଦୌଡ଼ିବା ଦରକାର ନାହିଁ ।

ଏହି ଅବସରରେ ନିଜ ଜୀବନର ଅଭିଜ୍ଞତା ବଖାଣିଥିଲେ ରାଷ୍ଟ୍ରପତି । ଯୋଗ ସହ ଯୁକ୍ତ ହେବା ପରେ ତାଙ୍କ ଜୀବନ ପ୍ରତି ଆସ୍ଥା ଓ ଆଶ୍ରା ସଂଚାର ହୋଇଥିଲା। ଏବେ ବି ଯୋଗ କରନ୍ତି ରାଷ୍ଟ୍ରପତି । ଯୋଗ ଶାରୀରିକ ଓ ମାନସିକ ଭାବେ ସୁସ୍ଥ ରଖିବା ସହ କର୍ମଚଞ୍ଚଳ କରେ । ଦୁଃଖର କାରଣ କାମନା, ସନ୍ତୁଷ୍ଟତା କାମନାକୁ ବିନାଶ କରିପାରେ ବୋଲି ରାଷ୍ଟ୍ରପତି କହିଛନ୍ତି । ଏବେ ବିଶ୍ବ ପାଇଁ ପ୍ରକୃତିର ଅସ୍ବାଭାବିକ ଆଚରଣ ବଡ଼ ବିପଦ । ନିଜେ ବଞ୍ଚ ଓ ଅନ୍ୟକୁ ବଞ୍ଚିବାକୁ ଦିଅ । ତେଣୁ ପ୍ରକୃତି ଅନୁକୂଳ ଜୀବନଶୈଳୀ ଆପଣାଇବାକୁ ଆହ୍ବାନ ଦେଇଛନ୍ତି ରାଷ୍ଟ୍ରପତି । ଜ୍ଞାନପ୍ରଭା ମିଶନ ବତିଖୁଣ୍ଟ ପରି ମାନବ ସମାଜକୁ ଦିଗଦର୍ଶନ ଦେବ ବୋଲି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କହିଛନ୍ତି ।