ସରୁନି ମହାରାଷ୍ଟ୍ରର ମହାଡ୍ରାମା, ସରକାର ଗଠନ ନେଇ ହୋଇପାରୁନି ସହମତି

1 min read

ମୁମ୍ବାଇ: ଦିନ ପରେ ଦିନ ଗଡ଼ି ଚାଲିଛି, କିନ୍ତୁ ମହାରାଷ୍ଟ୍ରର ଅଙ୍କ ଛିଡୁନି । ନିୟମ ଅନୁସାରେ ନିର୍ବାଚନ ଫଳାଫଳ ଘୋଷଣାର ୧୫ ଦିନ ମଧ୍ୟରେ ନୂଆ ସରକାର ଗଠନ ହେବା ଦରକାର । ଅକ୍ଟୋବର ୨୪ରେ ମହାରାଷ୍ଟ୍ର ନିର୍ବାଚନ ଫଳାଫଳ ଘୋଷଣା ହୋଇଥିବାରୁ ନଭେମ୍ବର ୭ ସୁଦ୍ଧା ନୂଆ ସରକାରର ସ୍ପଷ୍ଟ ଚିତ୍ର ଆସିଯିବା ଉଚିତ୍‌ । ମାତ୍ର ଏଯାଏଁ ସେଭଳି କିଛି ଦୃଶ୍ୟ ଦେଖାଯାଉନି । ସରକାର ଗଠନର ଅନ୍ତିମ ଦିବସ ପାଖେଇ ଆସୁଥିବା ବେଳେ କୌଣସି ଦଳ ମଧ୍ୟରେ ପ୍ରକାଶ ପାଇପାରୁନି ସହମତି । ଏହିଭଳି ଅବସ୍ଥା ଲାଗି ରହିଲେ ରାଜ୍ୟରେ ରାଷ୍ଟ୍ରପତି ଶାସନ ଜାରି ହୋଇପାରେ ।
ଭୋଟର ସବୁ ଦଳକୁ ତ୍ରିଶଙ୍କୁ ଅବସ୍ଥାରେ ଛାଡ଼ି ଦେଇଛନ୍ତି । କୌଣସି ଗୋଟିଏ ଦଳକୁ ସରକାର ଗଢ଼ିବା ସ୍ଥିତି ଦେଇନାହାନ୍ତି । ନିର୍ବାଚନରେ ବିଜେପିକୁ ସର୍ବାଧିକ ୧୦୫, ଶିବସେନାକୁ ୫୬, ଏନସିପିକୁ ୫୪ ଓ କଂଗ୍ରେସକୁ ୪୪ ଆସନ ମିଳିଛି । ଏହି ସ୍ଥିତି ହିଁ ଆଜି ମହାରାଷ୍ଟ୍ର ରାଜନୀତିକୁ ସରଗରମ କରିଦେଇଛି । ପ୍ରାକ୍‌ ନିର୍ବାଚନୀ ମେଣ୍ଟ ହୋଇଥିବାରୁ ସରକାର ଗଠନ ପାଇଁ ବିଜେପି-ଶିବସେନା ମେଣ୍ଟ ପାଖରେ ମ୍ୟାଜିକ ନମ୍ବର ରହିଛି । ମାତ୍ର କ୍ଷମତା ଚୌକିକୁ ନିଜ ପଟକୁ ନେବାକୁ ଦୁଇ ସହଯୋଗୀଙ୍କ ମଧ୍ୟରେ ଟଣା ଓଟରା ଲାଗିରହିଛି । ୫୦-୫୦ ଫର୍ମୂଲାକୁ ନେଇ ଅଡ଼ି ବସିଛି ଶିବସେନା । ସେପଟେ ପୁଣି ୫ ବର୍ଷ ପାଇଁ ମୁଖ୍ୟମନ୍ତ୍ରୀ ହେବାକୁ ଦୃଢ଼ତାର ସହ କହୁଛନ୍ତି ଦେବେନ୍ଦ୍ର ଫଡନବୀସ । ପରସ୍ପର ପ୍ରତି ତୀର୍ଯ୍ୟକ ଶବ୍ଦ ବାଣ ଛାଡୁଛନ୍ତି ଦୁଇ ଦଳ । ଫଳାଫଳ ଘୋଷଣାର ପ୍ରଥମ ସପ୍ତାହ କେବଳ ପରସ୍ପରକୁ କାଦୁଅ ଫିଙ୍ଗାରେ ଶେଷ ହୋଇଯାଇଛି ।


ସରକାର ଗଠନ ନେଇ ଅନିଶ୍ଚିତତା ଲାଗି ରହିଥିବା ବେଳେ ପ୍ରତିଦିନ ନୂଆ ନୂଆ ସମୀକରଣ ନେଇ ଚର୍ଚ୍ଚା ଚାଲିଛି । ରାଜନୀତିରେ କିଛି ସ୍ଥାୟୀ ହୋଇନଥିବାରୁ ଆଦର୍ଶକୁ ଭୁଲି ଯେ କୌଣସି ଦଳ ଅନ୍ୟ ଦଳ ସହ ହାତ ମିଳାଇବାର ଯଥେଷ୍ଟ ସମ୍ଭାବନା ରହିଛି । ଏହି ପରିପ୍ରେକ୍ଷୀରେ ଶିବସେନା ବିରୋଧୀ ଏନ୍‌ସିପି ଓ କଂଗ୍ରେସ ସହ ବୁଝାମଣା କରିବାର ସମ୍ଭାବନା ମଧ୍ୟ ସୃଷ୍ଟି ହୋଇଛି । ଏହା ମଧ୍ୟରେ ଶିବସେନା ନେତା ଏନସିପି ମୁଖ୍ୟ ଶରଦ ପାଓ୍ୱାରଙ୍କୁ ଭେଟିବା ଏହି ଚର୍ଚ୍ଚାକୁ ଅଧିକ ହାଓ୍ୱା ଦେଇଥିବା ବେଳେ ବିଜେପିର ଥିଙ୍କ୍‌ ଟ୍ୟାଙ୍କ ଚୁପ୍‌ଚାପ୍‌ ନୂଆ ବିକଳ୍ପ ରାସ୍ତା ସନ୍ଧାନରେ ଲାଗି ପଡ଼ିଛନ୍ତି ।


ଡିସେମ୍ବର ୭ ମଧ୍ୟରେ ମହାରାଷ୍ଟ୍ର ରାଜନୀତିରେ କିଛି ନୂଆ ଦେଖିବାକୁ ମିଳିପାରେ । ଏଯାଏଁ ପ୍ରେସର ଗେମ୍‌ ଖେଳି ଆସୁଛି ଶିବସେନା । କିଛି ବଡ଼ ଫାଇଦାର ସୁରାକ୍‌ ମିଳିଗଲେ ଦଳ ପୁଣି ବିଜେପି ପଣତ ତଳକୁ ଚାଲି ଆସି ସରକାରରେ ଭାଗିଦାରୀ ହୋଇପାରେ । ଶିବସେନାର ଏହି ଚାଲ୍‌କୁ ଏନସିପି ଓ କଂଗ୍ରେସ ଭଲ ଭାବେ ବୁଝିଛନ୍ତି । ସେଥିପାଇଁ ଏହି ଦୁଇ ଦଳ ଉପଯୁକ୍ତ ଦୂରତା ରଖି ଶିବସେନାର ଗତିବିଧି ଉପରେ ନଜର ରଖିଛନ୍ତି । ସେପଟେ ଶିବସେନାର ଚାପ ଗେମ୍‌ରେ ଯଦି ବିଜେପି କେନ୍ଦ୍ରୀୟ ନେତୃତ୍ୱ ପ୍ରଭାବିତ ନହୁଅନ୍ତି ତାହେଲେ ଏହି ଗେମ୍‌ ଅଧିକ ଦିନ ଧରି ଚାଲିବାର ସମ୍ଭାବନାକୁ ଏଡ଼ାଇ ଦେଇହେବନି ।

ଏଭଳି ସ୍ଥିତିରେ ରାଜ୍ୟରେ ରାଷ୍ଟ୍ରପତି ଶାସନ ହିଁ ଅନିବାର୍ଯ୍ୟ । ତେବେ ମହାରାଷ୍ଟ୍ର ରାଜନୀତିର ଗୋଳିଆ ପାଣିରେ କିଏ ବାଜି ମାରିବ ତାହା ଦିନେ ଦୁଇ ଦିନରେ ସ୍ପଷ୍ଟ ହୋଇଯିବ । ଆଉ ଯଦି ସହମତି ନହେଲା ତେବେ ରାଷ୍ଟ୍ରପତି ଶାସନ ହେବା ଥୟ । ତେବେ ଶିବସେନାକୁ ଉପମୂଖ୍ୟମନ୍ତ୍ରୀ ପଦ ଯାଚିବା ସହ ୧୩ଟି କ୍ୟାବିନେଟ୍ ମନ୍ତ୍ରୀ ପାହ୍ୟା ଦେବାକୁ ରାଜି ହୋଇଛି ବିଜେପି । ଶିବସେନା ଏକନାଥ ସିନ୍ଦେଙ୍କୁ ଏବେ ବିଧାୟକ ଦଳ ନେତା କରିଛି । ')}

Leave a Reply