ମଞ୍ଚରୁ ଆସିଲା ଡାକରା, ରାଷ୍ଟ୍ରପତି ଡାକୁଛନ୍ତି ଭେଟିବେ ଆସନ୍ତୁ…

ଭୁବନେଶ୍ୱର(ଶତ୍ରୁଘ୍ନ ବିଶ୍ୱାଳ): ଉତ୍କଳ ବିଶ୍ୱବିଦ୍ୟାଳୟ ପ୍ଳ।ଟିନମ ଜୁବୁଲି ଉଦ୍‌ଯାପନ ଉତ୍ସବ । ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ । ମଞ୍ଚ ଉପରେ ପାଖାପାଖି ୧ ଘଣ୍ଟା ପର୍ଯ୍ୟନ୍ତ ରାଷ୍ଟ୍ରପତି ରହିଥିଲେ । ଉତ୍ସବରେ ହଜାର ହଜାର ଛାତ୍ରଛାତ୍ରୀଙ୍କ ସମେତ ବିଶିଷ୍ଟ ବ୍ୟକ୍ତିମାନେ ରାଷ୍ଟ୍ରପତିଙ୍କ ଅଭିଭାଷଣ ଶୁଣୁଥିଲେ । ସଭା ଶେଷ ହେଲା । ଆରମ୍ଭ ହେଲା ଜାତୀୟ ସଂଗୀତ । ସମସ୍ତେ ଠିଆ ହୋଇ ସମ୍ମାନ ପ୍ରଦର୍ଶନ କଲେ । ମଞ୍ଚ ପରିଚାଳନା କରୁଥିବା ଉଦ୍‌ଘୋଷକ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିବାର ପର୍ବ ଆରମ୍ଭ କରୁଥାନ୍ତି । ସେପଟେ ରାଷ୍ଟ୍ରପତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଡାକି କିଛି କହୁଥିବାର ଦୃଶ୍ୟମାନ ହେଲା ।

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ହଠାତ୍‌ ମାଇକ ପାଖକୁ ମାଡ଼ିଆସିଲେ । ଉଦ୍‌ଘୋଷକଙ୍କୁ ଆଡ଼େଇ ଦେଇ କହିବାକୁ ଲାଗିଲେ । ଦର୍ଶକମାନେ ମଧ୍ୟ କିଛି ସମୟ ପାଇଁ ଅଟକିଗଲେ । ଘୋଷଣା ହେଲା ବୀରଭଦ୍ର ସିଂ ଆପଣ ଆଗ ଦୁଇଲାଇନ୍‌ ପରେ ବସିଛନ୍ତି । ରାଷ୍ଟ୍ରପତି ତୁମକୁ ଭେଟିବାକୁ ଚାହୁଁଛନ୍ତି । ତୁମେ ଶୀଘ୍ର ଆସ । ତୁମ ଠେକାରୁ ଦେଖି ରାଷ୍ଟ୍ରପତି ତୁମକୁ ଚିହ୍ନି ସାରିଛନ୍ତି । ଦେଖୁଦେଖୁ ମୁଣ୍ଡରେ ଧଳା ଠେକା ଭିଡିଥିବା ବ୍ୟକ୍ତି ଜଣକ ନିଜ ସିଟ୍‌ରୁ ଉଠି ରାଷ୍ଟ୍ରପତିଙ୍କ ଆଡକୁ ଆଗେଇ ଚାଲିଲେ । ସୁରକ୍ଷା କର୍ମୀମାନେ ତୁରନ୍ତ ବ୍ୟାରିକେଡ୍‌ ହଟାଇ ଦେଇ ବୃଦ୍ଧ ଜଣଙ୍କୁ ରାଷ୍ଟ୍ରପତିଙ୍କ ନିକଟକୁ ନେଇଗଲେ ।

କ’ଣ ବୀରଭଦ୍ର ଭଲ ଅଛ ? ମୁଁ ତୁମ ଠେକା ଦେଖି ଚିହ୍ନି ସାରିଥିଲି । ଭିଡ଼ରେ ରହିଲେ ବି ତୁମେ ମୋ ଆଖିରୁ ଲୁଚିପାରିବ ନାହିଁ । କେବେ ରାଷ୍ଟ୍ରପତି ଭବନ ବୁଲିବାକୁ ଆସ । ଓଡ଼ିଶା ଆସିଲେ ତୁମକଥା ମନେପଡେ । ଆଜି ବି ମନେ ମନେ ଖୋଜୁଥିଲି । ଆଖିରେ ପଡ଼ିଗଲ । ଏତିକି କହିବା ପରେ ସାଙ୍ଗେସାଙ୍ଗେ ବୀରଭଦ୍ରଙ୍କ ସହ ଏକ ଫଟୋ ମଧ୍ୟ ଉଠେଇଲେ ରାଷ୍ଟ୍ରପତି ।

ବୀରଭଦ୍ର ସିଂ । ୨୦୦୦ ରୁ ୨୦୦୬ ପର୍ଯ୍ୟନ୍ତ ଓଡ଼ିଶାରୁ ରାଜ୍ୟସଭାକୁ ସାଂସଦ ଭାବରେ ନିର୍ବାଚିତ ହୋଇଥିଲେ । ସେତେବେଳେ ରାମନାଥ କୋବିନ୍ଦ ମଧ୍ୟ ଉତ୍ତର ପ୍ରଦେଶରୁ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ । ଦୁଇ ଜଣ ରାଜ୍ୟସଭାରେ ଗୋଟିଏ କମିଟିର ମେମ୍ବର ରହିଥିଲେ । ବିଭିନ୍ନ ସମୟରେ ଅନୁସୂଚିତ ଜାତି ଓ ଜନଜାତିଙ୍କ ବିଭିନ୍ନ ସମସ୍ୟା ନେଇ ଉଭୟ ଆଲୋଚନା କରୁଥିଲେ । ସେଠାରୁ ରାମନାଥ କୋବିନ୍ଦ ଏବଂ ବୀରଭଦ୍ର ସିଂଙ୍କ ମଧ୍ୟରେ ବନ୍ଧୁତା ବଢିଥିଲା । ହେଲେ ରାଷ୍ଟ୍ରପତି ହେବା ପରେ ଦୁଇଜଣଙ୍କ ସାକ୍ଷାତ ହୋଇନଥିଲା ।

ପ୍ଳ।ଟିନମ୍‌ ଜୁବଲିରେ ରାଷ୍ଟ୍ରପତି ଏଭଳି ଷ୍ଟେଜ୍‌ ଉପରୁ ଥାଇ ଡାକିବେ ବୋଲି କେବେବି  ଭାବି ନଥିଲେ ବୀରଭଦ୍ର । ରାମନାଥ ରାଷ୍ଟ୍ରପତି ହେବା ପରେ ବି ପୂର୍ବଭଳି ବ୍ୟବହାର କଲେ । ତାଙ୍କ ଆଚରଣରେ କୈାଣସି ପରିବର୍ତ୍ତନ ହୋଇନାହିଁ । ଏହା ହିଁ ତାଙ୍କର ସ୍ୱତନ୍ତ୍ରତା ବୋଲି କହିଛନ୍ତି ବୀରଭଦ୍ର ।

Leave a Reply