ଭୁବନେଶ୍ୱରରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ: ମହାମହିମଙ୍କ ଗସ୍ତ ପାଇଁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି

ଖୋର୍ଦ୍ଧା: ଭୁବନେଶ୍ୱରରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଗତକାଲି ସଂଧ୍ୟା ୭ଟା ୧୨ରେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିଥିଲେ ରାଷ୍ଟ୍ରପତି । ରାଜ୍ୟପାଳ ଗଣେଶୀ ଲାଲ, ଆନ୍ଧ୍ରପ୍ରଦେଶ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପଧାନ ଓ ଜୁଏଲ ଓରାମ ଏବଂ ଭୁବନେଶ୍ୱର ସାଂସଦ,ମୁଖ୍ୟ ଶାସନ ସଚିବ, ପୋଲିସ ଡିଜି, ପୋଲିସ କମିଶନର, ଭୁବନେଶ୍ୱର ଡିସିପି ପ୍ରମୁଖ ବିମାନବନ୍ଦରରେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ସ୍ୱାଗତ ଜଣାଇଥିଲେ ।

ପରେ ରାତ୍ରିଯାପନ ପାଇଁ କଡ଼ା ସୁରକ୍ଷା ଭିତରେ ରାଜଭବନରେ ପହଞ୍ଚିଥିଲେ ରାଷ୍ଟ୍ରପତି । ସେଠାରେ ରାତ୍ରି ଭୋଜନ ସହ ରହିବା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଥିଲା । ଆଜି ସକାଳ ୯ଟା ୪୦ମିନଟରେ ଭୁବନେଶ୍ୱର ବିମାନବନ୍ଦରରୁ ଖୋର୍ଦ୍ଧା ଅଭିମୁଖେ ବାହାରିବେ । ସେଠାରେ ଆୟୋଜିତ ବରୁଣେଇ କାର୍ଯ୍ୟକ୍ରମରେ ଯୋଗଦେବେ ।

ପାଇକ ବିଦ୍ରୋହର ୨ଶହ ବର୍ଷ ପୂର୍ତ୍ତି ଉତ୍ସବରେ ରାଷ୍ଟ୍ରପତି ଯୋଗ ଦେବେ । ଏହି ଅବସରରେ ୧୦ ଏକର ପରିମିତ ପାହାଡ଼ ପାଦଦେଶରେ ପାଇକ ଭବନର ଶିଳାନ୍ୟାସ କରିବେ ମହାମହିମ ରାଷ୍ଟ୍ରପତି ରାମନାଥ କୋବିନ୍ଦ। ରାଷ୍ଟ୍ରପତିଙ୍କ ଗସ୍ତ ପାଇକ ବଂଶଧରମାନଙ୍କ ମଧ୍ୟରେ ଉତ୍ସାହ ଭରିଦେଇଛି । ଦୁଇ ଶହ ବର୍ଷ ତଳର ପାଇକ ବିଦ୍ରୋହର ଗାଥା ପୁଣି ବରୁଣେଇ ପାଦଦେଶରେ ଉଜ୍ଜୀବିତ ହେବ । ଏଥିପାଇଁ ଜିଲ୍ଲା ପ୍ରଶାସନ ପ୍ରସ୍ତୁତି ଚୁଡାନ୍ତ କରିଛି ।

ମହାମହିମଙ୍କ ଗସ୍ତପାଇଁ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି ।ରାଷ୍ଟ୍ରପତିଙ୍କ ଗସ୍ତନେଇ ରାଜଧାନୀରୁ ଖୋର୍ଦ୍ଧା ପର୍ଯ୍ୟନ୍ତ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ଭୁବନେଶ୍ୱର ଡିସିପିଙ୍କ ନେତୃତ୍ୱରେ ସୁରକ୍ଷା ବ୍ଳୁପ୍ରିଣ୍ଟ ପ୍ରସ୍ତୁତ ହୋଇଛି । ଖୋର୍ଦ୍ଧାରେ ୧୦ ହଜାର ଲୋକଙ୍କ ସମାଗମ ହେବାକୁ ଥିବା ବେଳେ ଲୋକ ବସିବା ପାଇଁ ବ୍ୟବସ୍ଥା କରାଯାଇଛି ।

Leave a Reply