ଦେଶର ସର୍ବୋଚ୍ଚ ପଦବୀ ପାଇଁ ମତଦାନ ଜାରି; ଭୋଟ୍ ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ୱର: ରାଷ୍ଟ୍ରପତି ନିର୍ବାଚନ ପାଇଁ ଭୋଟ୍ ଗ୍ରହଣ ଜାରି ରହିଛି। ସକାଳ ୧୦ଟାରୁ ଆରମ୍ଭ ହୋଇଥିବା ଭୋଟ୍ ଗ୍ରହଣ ସନ୍ଧ୍ୟା ୫ଟା ଯାଏଁ ଚାଲିବ । ଏନଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ଟକ୍କର ଦେଉଛନ୍ତି ବିରୋଧୀ ଦଳର ପ୍ରାର୍ଥୀ ଯଶୱନ୍ତ ସିହ୍ନା। ତେବେ ବିଧାନସଭାରେ ଭୋଟ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଓଡ଼ିଶା ବିଧାନସଭାର ୫୪ ନମ୍ବର ପ୍ରକୋଷ୍ଠରେ ଭୋଟ୍ ଗ୍ରହଣ ଚାଲିଛି ।

ମାଟିର ଝିଅ ଦ୍ରୌପଦୀ ମୁର୍ମୁଙ୍କୁ ବିଜେଡି ପୂରା ସମର୍ଥନ କରିଛି । ଆଜି ଦଳର ସମସ୍ତ ବିଧାୟକ ଓ ସାଂସଦମାନେ ଦ୍ରୌପଦୀଙ୍କୁ ଭୋଟ ଦେବେ । ଦ୍ରୌପଦୀ ମୁର୍ମୁଙ୍କୁ ରାଇସିନା ହିଲକୁ ପଠାଇବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଭିନ୍ନ ଦଳର ସମର୍ଥନ ଯୋଗାଡ଼ କରିଛନ୍ତି ।

ଓଡିଶାରେ ଜଣେ ବିଧାୟକଙ୍କ ଭୋଟ ମୂଲ୍ୟ ହେଉଛି ୧୪୯ । ସାଂସଦଙ୍କ ଭୋଟ ମୂଲ୍ୟ ହେଉଛି ୭୦୦। ସମୁଦାୟ ବିଜେଡି ବିଧାୟକଙ୍କ ଭୋଟ ମୂଲ୍ୟ ୧୬ହଜାର ୬୮୮, ବିଜେଡି ସାଂସଦଙ୍କ ମୂଲ୍ୟ ୧୪ହଜାର ୭୦୦। ବିଜେଡିର ସମୁଦାୟ ଭୋଟ ମୂଲ୍ୟ ୩୧, ୪୮୮। ବିଜେପିର ୨୨ ବିଧାୟକ ଥିବା ବେଳେ ସେମାନଙ୍କର ଭୋଟ ମୂଲ୍ୟ ୩୨୭୮। ଜଣ ସାଂସଦଙ୍କ ଭୋଟ ମୂଲ୍ୟ ୬୩୦୦। ସମୁଦାୟ ଓଡିଶା ବିଜେପିର ଭୋଟ ମୂଲ୍ୟ 9୫୭୮। କଂଗ୍ରେସର ୯ ଜଣ ବିଧାୟକ ଥିବାବେଳେ ସେମାନଙ୍କ ଭୋଟ ମୂଲ୍ୟ୧୩୪୧ ଏବଂ ଜଣେ ସାଂସଦଙ୍କ ଭୋଟ ମୂଲ୍ୟ ୭୦୦ । ସମୁଦାୟ କଂଗ୍ରେସ ଭୋଟ ହେଉଛି ୨୦୪୧।