ପାହାଡ଼ପୁରରେ ରାଷ୍ଟ୍ରପତି
1 min read
ମୟୂରଭଞ୍ଜ: ଜନ୍ମମାଟିରେ ମହାମହିମ । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ତିନିଦିନିଆ ଓଡ଼ିଶା ଗସ୍ତର ମଙ୍ଗଳବାର ଦ୍ବିତୀୟ ଦିନ । ଗତକାଲିଠୁ ରାଷ୍ଟ୍ରପତି ମୟୂରଭଞ୍ଜ ଗସ୍ତରେ ଥିବା ବେଳେ ଆଜି ଶାଶୂଘର ପାହାଡ଼ପୁର ଗସ୍ତ କରିଥିଲେ । ସ୍ବାମୀ ଶ୍ୟାମଚରଣ ମୁର୍ମୁଙ୍କ ପ୍ରତିମୂର୍ତ୍ତିରେ ପୁଷମାଲ୍ୟ ଅର୍ପଣ କରିଛନ୍ତି । ସେଠାରେ ଦକ୍ଷତା ବିକାଶ ତାଲିମ କେନ୍ଦ୍ରର ଉଦଘାଟନ କରିବା ସହ ଏସଏଲଏସ ସ୍କୁଲ ପରିଦର୍ଶନ କରିଛନ୍ତି । ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ କରିବା ସହ ଅଞ୍ଚଳବାସୀଙ୍କ ସହ ଆଲୋଚନା କରିଛନ୍ତି । ସେଠାରୁ ବାଦାମପାହାଡ଼ ରେଳ ଷ୍ଟେସନରେ ନୂତନ ଭାବେ ଟାଟାନଗର-ବାଦାମପାହାଡ ମେମୁ ଟ୍ରେନ, ବାଦାମପାହାଡ-ରାଉରକେଲା ଏକ୍ସପ୍ରେସ ଓ ଶାଲିମାର- ବାଦାମପାହାଡ଼ ଏକ୍ସପ୍ରେସ ଟ୍ରେନର ଶୁଭାରମ୍ଭ କରିଛନ୍ତି ।
ଏଥିସହ ବାଦାମପାହାଡ଼ ଅମୃତ ରେଳଷ୍ଟେସନର ଶିଳାନ୍ୟାସ କରିଛନ୍ତି। ପରେ ରାଇରଙ୍ଗପୁର ଡାକ ଡିଭିଜନ୍ ଉଦଘାଟନ କରିବା ସହ ବିଭିନ୍ନ କାର୍ଯ୍ୟକ୍ରମରେ ଭିଡିଓ କନଫରେନ୍ସିଂ ଯୋଗେ ଯୋଡ଼ି ହେବାର କାର୍ଯ୍ୟକ୍ରମ ରହିଛି। ବାଦାମପାହାଡ଼ରୁ ରାଇରଙ୍ଗପୁର ରେଳ ଷ୍ଟେସନକୁ ଟ୍ରେନ ଯୋଗେ ଯାତ୍ରା କରି ସେଠାରୁ ହେଲିକପ୍ଟର ଯୋଗେ ସମ୍ୱଲପୁର ଅଭିମୁଖେ ଯାତ୍ରା କରିବେ। ସନ୍ଧ୍ୟା ୫ଟା ୪୫ରେ ସେ ମା’ ସମଲେଶ୍ବରୀ ମନ୍ଦିରକୁ ଯାଇ ପୂଜାର୍ଚ୍ଚନା କରିବେ। କାଲି ରାଷ୍ଟ୍ରପତି ସମ୍ବଲପୁରଠାରେ ବ୍ରହ୍ମକୁମାରୀ ସଂସ୍ଥାଦ୍ବାରା ଆୟୋଜିତ ଜାତୀୟ ଶିକ୍ଷା ଅଭିଯାନ- ନୂଆ ଭାରତ ପାଇଁ ନୂଆ ଶିକ୍ଷାକୁ ଶୁଭାରମ୍ଭ କରିବେ। ଏହାପରେ ସେଠାରୁ ଆନ୍ଧ୍ରପ୍ରଦେଶର ପୁଟ୍ଟପର୍ତ୍ତି ଗସ୍ତ କରିବେ ।