ଆଜି ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ଦୌପଦୀ ମୁର୍ମୁ

ଭୁବନେଶ୍ୱର: ଜନ୍ମମାଟିକୁ ଆସୁଛନ୍ତି ମହାମହିମ। ରାଷ୍ଟ୍ରପତି ହେବା ପରେ ଆଜି ପ୍ରଥମ କରି ମୟୂରଭଞ୍ଜ ଆସିବେ ଦ୍ରୌପଦୀ ମୁର୍ମୁ। ରାଷ୍ଟ୍ରପତି ଭାବରେ ଓଡ଼ିଶାକୁ ଏହା ତାଙ୍କର ତୃତୀୟ ଗସ୍ତ ହୋଇଥିବାବେଳେ ଜନ୍ମମାଟିକୁ ପ୍ରଥମ ଗସ୍ତ । ୩ଦିନିଆ ଗସ୍ତରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ ମହାମହିମ ।

ସକାଳ ୧୦ଟା ୧୫ ମିନିଟରେ ସ୍ବତନ୍ତ୍ର ବିମାନରେ ଆସି ବାଦାମପାହାଡଠାରେ ଅବତରଣ କରିବେ ରାଷ୍ଟ୍ରପତି। ସେଠାରୁ ଶାଶୂଘର ଗାଁ ପାହାଡ଼ପୁର ଗସ୍ତ କରିବେ । ସେଠାରେ ସ୍ବର୍ଗତଃ ଶ୍ୟାମ ଚରଣ ମୁର୍ମୁଙ୍କୁ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବାପରେ ଗୋସାଣୀ ଗସ୍ତ କରିବେ। ନାବାର୍ଡ ପକ୍ଷରୁ ଏସଏଲଏସ ଟ୍ରଷ୍ଟ ସ୍କୁଲ ପାଇଁ ନିର୍ମିତ ହେବାକୁ ଥିବା କମ୍ୟୁନିଟି ସେଣ୍ଟରର ଭିତ୍ତିପ୍ରସ୍ତର ସ୍ଥାପନ କରିବେ।

ଏଲ ଆଣ୍ଡ ଟି ଦ୍ବାରା ପ୍ରତିଷ୍ଠା କରାଯାଉଥିବା ଦକ୍ଷତା ବିକାଶ କେନ୍ଦ୍ରର ଶିଳାନ୍ୟାସ କରିବେ । ପରେ ସ୍କୁଲ ଛାତ୍ରଛାତ୍ରୀ ଓ ଗାଁ ଲୋକଙ୍କ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି । ପରେ ହାତବାଦ୍ରାର ସାତପଉଟିଆରେ ପ୍ରଜାପିତା ବ୍ରହ୍ମକୁମାରୀ କେନ୍ଦ୍ର ପରିଦର୍ଶନ କରି ନିଶାମୁକ୍ତ ଓଡ଼ିଶା କ୍ୟାମ୍ପେନର ଶୁଭାରମ୍ଭ କରିବେ । ପରେ ପୂର୍ତ୍ତ ବିଭାଗ ଡାକବଙ୍ଗଳାରେ ମଧ୍ୟାହ୍ନ ଭୋଜନ ପରେ ବିଶ୍ରାମ ନେବେ । ସେଠାରୁ ରାଇରଙ୍ଗପୁର ଯାଇ ସୂନାରାମ ସୋରେନଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବେ । ବଡବନ୍ଧଠାରେ ଶହେ ଫୁଟ ଉଚ୍ଚତାରେ ଏକ ଜାତୀୟ ପତାକାର ଉତ୍ତୋଳନ କରିବା ପରେ ପଣ୍ଡିତ ରଘୁନାଥ ମୁର୍ମୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ସହ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ।

ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କରି ପୌରପରିଷଦ ନାଗରିକ ସମ୍ବର୍ଦ୍ଧନା ସଭାରେ ଯୋଗ ଦେବେ ରାଷ୍ଟ୍ରପତି । ରାତିରେ ମହୁଳଢିହା ବଙ୍ଗଳାରେ ରାତ୍ରୀଯାପନ କରିବା କାର୍ଯ୍ୟକ୍ରମ ରହିଛି । ଆସନ୍ତାକାଲି ଶିମିଳିପାଳ ଅଭୟାରଣ୍ୟ ପରିଦର୍ଶନ କରିବେ ମହାମହିମ। ସେହିପରି ୬ ତାରିଖରେ ଶ୍ରୀରାମଚନ୍ଦ୍ର ଭଞ୍ଜଦେବ ବିଶ୍ବବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ଯୋଗଦେବେ ମହାମହିମ। ସେଠାରେ ଛାତ୍ରଛାତ୍ରୀଙ୍କ ଉଦ୍ଦେଶ୍ୟରେ ଦୀକ୍ଷାନ୍ତ ଭାଷଣ ଦେବାର କାର୍ଯ୍ୟକ୍ରମ କରିଛି । ପରେ ସେହିଦିନ ନୂଆଦିଲ୍ଲୀ ଫେରିଯିବେ ମହାମହିମ । ରାଷ୍ଟ୍ରପତିଙ୍କ ଗସ୍ତକୁ ନଜରରେ ରଖି ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । ଭାରତୀୟ ବାୟୁସେନା ବିମାନରେ ବରିଷ୍ଠ ଅଧିକାରୀମାନେ ବିଭିନ୍ନ କ୍ଷେତ୍ର ପରିଦର୍ଶନ କରି ସମୀକ୍ଷା କରିଛନ୍ତି ।

ପୂର୍ବାଞ୍ଚଳ ଆଇଜି ରାଇରଙ୍ଗପୁରରକୁ ଯାଇ ସୁରକ୍ଷା ବ୍ୟବସ୍ଥାର ଅନୁଧ୍ୟାନ କରିଛନ୍ତି । ସୁରକ୍ଷା ଦୃଷ୍ଟିରୁ ୫୦ ପ୍ଲାଟୁନ ଫୋର୍ସ, ୪୦୦ରୁ ଅଧିକ ପୋଲିସ ଅଧିକାରୀ ସୁରକ୍ଷା ଦାୟିତ୍ବରେ ନିୟୋଜିତ ହେବେ । ବ୍ଲୁ ବୁକ ଅନୁସାରେ ସମସ୍ତ ସୁରକ୍ଷା ନିୟମ ପାଳନ କରାଯାଉଛି । ରାଷ୍ଟ୍ରପତି ଶିମିଳିପାଳ ପରିଦର୍ଶନ କରିବାର କାର୍ଯ୍ୟକ୍ରମ ଥିବାରୁ ଦୁଇଦିନ ପର୍ଯ୍ୟନ୍ତ ଅଭୟାରଣ୍ୟକୁ ବନ୍ଦ କରିଦିଆଯାଇଛି ।