IFS ଅଭୟକାନ୍ତ ପାଠକଙ୍କୁ ବାଧ୍ୟତାମୁଳକ ଅବସର ଲାଗି ରାଜ୍ୟ ସରକାରଙ୍କ ସୁପାରିସକୁ ଗ୍ରହଣ କଲେ ରାଷ୍ଟ୍ରପତି

ଭୁବନେଶ୍ୱର: ଦୁର୍ନୀତି ଅଭିଯୋଗରେ ନିଲମ୍ବିତ ହୋଇ ଜେଲରେ ଥିବା ଆଇଏଫଏସ ଅଭୟକାନ୍ତ ପାଠକଙ୍କୁ ଚାକିରିରୁ ବାଧ୍ୟତାମୁଳକ ଅବସର ରାସ୍ତା ପରିସ୍କାର ହୋଇଛି । ଏଥିପାଇଁ ରାଜ୍ୟ ସରକାର କରିଥିବା ସୁପାରିସକୁ ରାଷ୍ଟ୍ରପତି ସ୍ୱୀକୃତି ପ୍ରଦାନ କରିଛନ୍ତି ।  ଦୁର୍ନୀତି ବିରୋଧରେ ଶୂନ୍ୟ ସହନଶୀଳତା ନୀତି କ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିକଟରେ ଅଭୟକାନ୍ତ ପାଠକଙ୍କ ବାଧ୍ୟତାମୂଳକ ଅବସର ପାଇଁ ସୁପାରିଶ କରିଥିଲେ । ଯେଉଁ ସୁପାରିଶ ଉପରେ ମୋହର ମାରିଛନ୍ତି ରାଷ୍ଟ୍ରପତି ।

୧୯୮୭ ବ୍ୟାଚ ଓଡ଼ିଶା କ୍ୟାଡରର ଆଇଏଫଏସ୍ ଅଫିସର ହେଉଛନ୍ତି ଅଭୟକାନ୍ତ ପାଠକ । ଯାହାଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ ରହିଛି । ଅଭୟକାନ୍ତ ନିଜ ପଦବୀର ଅପବ୍ୟବହାର କରି ଦୁର୍ନୀତିରେ ଲିପ୍ତ ଥିବା ପ୍ରମାଣ ମିଳିବା ପରେ ତାଙ୍କ ବିରୋଧରେ ମାମଲା ରୁଜ୍ଜ ହୋଇଥିଲା । ପାଠକଙ୍କୁ ଚାକିରିରୁ ନିଲମ୍ବିତ କରିବା ସହିତ ତାଙ୍କୁ ବାଧ୍ୟତାମୁଳକ ଅବସର ପ୍ରଦାନ ପାଇଁ ରାଜ୍ୟ ସରକାର ସୁପାରିସ କରିଥିଲେ ।

ସୂଚନାଯୋଗ୍ୟ ଯେ, ଓଡ଼ିଶା ଭିଜିଲାନ୍ସ ଅଭୟକାନ୍ତ ଓ ତାଙ୍କ ପୁଅ ଆକାଶ ପାଠକଙ୍କୁ ଦୁର୍ନୀତି ଅଭିଯୋଗରେ ଗିରଫ ହେବା ପରେ ଜେଲରେ ଅଛନ୍ତି ।  ଅଭୟକାନ୍ତ ନିଜ କଳା ଟଙ୍କାକୁ ପୁଅ ବ୍ୟାଙ୍କ୍ ଆକାଉଣ୍ଟରେ ଡିପୋଜିଟ୍ କରୁଥିଲେ । ଏହା ସହ ପୁଅ ଆକାଶ ପାଠକ ନିଜକୁ ଟାଟା ମୋଟର୍ସର ଏମଡି ଭାବେ ପରିଚୟ ଦେଇ ଲୋକଙ୍କୁ ଠକୁଥିଲେ ।

ଗତବର୍ଷ ଲକଡାଉନ୍ କାଳରେ ପାଠକ ଚାର୍ଟାଡ୍ ପ୍ଲେନରେ ବୁଲୁଥିବା ଘଟଣା ମଧ୍ୟ ସାମ୍ନାକୁ ଆସିଥିଲା । ଏପରିକି ଯେଉଁ ଟ୍ରାଭେଲ ଏଜେନ୍ସିଠାରୁ ଚାର୍ଟାଡ୍ ପ୍ଲେନ୍ ଆସିଥିଲା ତାକୁ ବକେୟା ରାଶି ମଧ୍ୟ ସେ ଦେଇନଥିବା ଅଭିଯୋଗ ହୋଇଥିଲା । ଜଣେ ସରକାରୀ ଚାକିରିଆ ହୋଇ ଅଭୟ ବାଉନ୍ସରଙ୍କ ଗହଣରେ ଚାର୍ଟାଡ୍ ପ୍ଲେନରେ ବୁଲିବା ସେତେବେଳେ ଚହଳ ସୃଷ୍ଟି କରିଥିଲା ।

 

Leave a Reply