ଗଣତନ୍ତ୍ର ଦିବସ ପୂର୍ବରୁ ଦେଶବାସୀଙ୍କୁ ସମ୍ବୋଧନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ନୂଆଦିଲ୍ଲୀ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ୭୫ତମ ଗଣତନ୍ତ୍ର ଦିବସ ପୂର୍ବରୁ ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି। ରାଷ୍ଟ୍ରପତି କହିଛନ୍ତି ଯେ ସମ୍ୱିଧାନର ପ୍ରସ୍ତାବନା ଭାରତବାସୀଙ୍କ ଠାରୁ ଆରମ୍ଭ ହେଉଛି। ଏହି ଶବ୍ଦ ଆମ ସମ୍ୱିଧାନର ମୂଳ ଭାବନାକୁ ରେଖାଙ୍କିତ କରୁଛି। ଦେଶ ସ୍ୱାଧୀନତାର ଶତାବ୍ଦୀ ଆଡ଼କୁ ଅଗ୍ରସର ହୋଇ ଅମୃତ କାଳର ପ୍ରାରମ୍ଭିକ ପର୍ଯ୍ୟାୟ ଦେଇ ଯାଉଛି।
ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରକୁ ସମ୍ୱୋଧିତ କରି କହିଛନ୍ତି ଯେ ଦେଶର ବୈଜ୍ଞାନିକ, ପ୍ରଯୁକ୍ତି ବିଶେଷଜ୍ଞ ପୂର୍ବାପେକ୍ଷା ବହୁ ଉଚ୍ଚ ଲକ୍ଷ୍ୟ ହାସଲ କରୁଛନ୍ତି। ନାରୀ ଶକ୍ତି ବନ୍ଦନ ଅଧିନିୟମକୁ ଏକ କ୍ରାନ୍ତିକାରୀ ପଦକ୍ଷେପ ବୋଲି କହିଛନ୍ତି ରାଷ୍ଟ୍ରପତି। ସେ କହିଛନ୍ତି ଯେ ନାରୀ ଶକ୍ତି ବନ୍ଦନ ଅଧିନିୟମ ମହିଳା ସଶକ୍ତିକରଣ ପାଇଁ ଏକ ଯୁଗାନ୍ତକାରୀ ନିଷ୍ପତ୍ତି। ଏହା ଆମର ଶାସନ ପ୍ରକ୍ରିୟାକୁ ଅଧିକ ସ୍ୱଚ୍ଛଳ କରିବାରେ ସହଯୋଗ କରିବ।
ସେ ଆହୁରି ମଧ୍ୟ କହିଛନ୍ତି, କାଲି ଆମେ ସମ୍ୱିଧାନ ଲାଗୁ କରାଯିବାର ଉତ୍ସବ ପାଳନ କରିବା। ଭାରତରେ ଗଣତାନ୍ତ୍ରିକ ପ୍ରଣାଳୀ ବଡ଼ ଏବଂ ପାଶ୍ଚାତ୍ୟ ଗଣତନ୍ତ୍ରର ଅବଧାରଣାଠାରୁ ବି ପୁରୁଣା। ଏହି କାରଣରୁ ଭାରତକୁ ଗଣତନ୍ତ୍ରର ଜନନୀ ବୋଲି କୁହାଯାଇଥାଏ। ଦେଶ ଅମୃତ କାଳର ପ୍ରାରମ୍ଭିକ ବର୍ଷରେ ଅଛି। ଏହା ପରିବର୍ତ୍ତନର ସମୟ। ଦେଶକୁ ନୂଆ ଶିଖରକୁ ନେବା ପାଇଁ ସୁବର୍ଣ୍ଣ ସୁଯୋଗ ମିଳିଛି। ଆମ ଲକ୍ଷ୍ୟ ହାସଲ ପାଇଁ ପ୍ରତ୍ୟେକ ନାଗରିକଙ୍କ ଯୋଗଦାନ ଗୁରୁତ୍ୱପୂର୍ଣ୍ଣ ବୋଲି ରାଷ୍ଟ୍ରପତି କହିଛନ୍ତି।