ବ୍ରିଟେନର ରାଣୀଙ୍କ ଅନ୍ତ୍ୟେଷ୍ଟିକ୍ରିୟାରେ ଯୋଗଦେବେ ଭାରତ ରାଷ୍ଟ୍ରପତି

ନୂଆଦିଲ୍ଲୀ: ବ୍ରିଟେନର ରାଣୀ ଏଲିଜାବେଥ୍‌  ଦ୍ୱିତୀୟଙ୍କ ଅନ୍ତିମ ସଂସ୍କାରରେ ଯୋଗ ଦେବା ପାଇଁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ବ୍ରିଟେନ ଗସ୍ତ କରିବେ । ଭାରତ ସରକାରଙ୍କ ତରଫରୁ ତାଙ୍କ ପରିବାର ତଥା ଦେଶକୁ ସମବେଦନା ଜଣାଇବା ପାଇଁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜିଠୁ ୧୯ ତାରିଖ ପର୍ଯ୍ୟନ୍ତ ଲଣ୍ଡନ ଗସ୍ତରେ ଯିବେ । ରାଣୀଙ୍କ ଅନ୍ତିମ ସଂସ୍କାର ୧୯ ସେପ୍ଟେମ୍ବରରେ ୱେଷ୍ଟମିନିଷ୍ଟର ଆବେରେ ୨୦୦୦ ଭିଆଇପି ଅତିଥିଙ୍କ ସମ୍ମୁଖରେ ହେବ ।

ବ୍ରିଟେନ ରାଣୀ ଏଲିଜାବେଥ୍ ଦ୍ୱିତୀୟଙ୍କ ଅନ୍ତ୍ୟେଷ୍ଟିକ୍ରିୟା ଦିନକୁ ଏକ ସାର୍ବଜନୀନ ଛୁଟି ଘୋଷଣା କରାଯାଇଛି । ବ୍ରିଟେନର ସ୍ୱର୍ଗତ ରାଣୀ ଏଲିଜାବେଥଙ୍କ ମୃତଦେହ ମଙ୍ଗଳବାର ସ୍କଟଲ୍ୟାଣ୍ଡରୁ ଲଣ୍ଡନରେ ପହଞ୍ଚିଛି । ତାଙ୍କର କଫିନ୍ ୱେଷ୍ଟମିନିଷ୍ଟର୍ ହଲରେ ରଖାଯାଇଛି । ସୋମବାର ଦିନ ଅନ୍ତିମ ସଂସ୍କାର କରାଯିବ । ରାଣୀ ୯୬ ବର୍ଷ ବୟସରେ ବାଲମୋରାଲ ଦୁର୍ଗରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ ।