ଆସୁଛନ୍ତି ମହାମହିମ, ମାଟିର ଝିଅଙ୍କୁ ସ୍ବାଗତ କରିବାକୁ ପ୍ରସ୍ତୁତ ଓଡ଼ିଶା

ଭୁବନେଶ୍ୱର: ଆଜିଠୁ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ରାଷ୍ଟ୍ରପତି ହେବା ପରେ ଏହା ତାଙ୍କର ଦ୍ୱିତୀୟ ଓଡ଼ିଶା ଗସ୍ତ । ସକାଳ ୧୧ଟା ୪୫ ମିନିଟରେ ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିବେ ମହାମହିମ । ଏହା ପରେ ୧୨ଟା ୫ରେ ରାଷ୍ଟ୍ରପତି ଉତ୍କଳ ମଣ୍ଡପରେ ପହଞ୍ଚିବେ । ସେଠାରେ ଜ୍ଞାନପ୍ରଭା ମିଶନର ପ୍ରତିଷ୍ଠା ଉତ୍ସବରେ ଯୋଗଦେବେ । ସେଠାରୁ ୧ଟା ୨୫ ମିନିଟରେ ମଧ୍ୟାହ୍ନ ଭୋଜନ ନିମନ୍ତେ ରାଜଭବନ ଯିବେ। ରାଜଭବନରେ ମଧ୍ୟାହ୍ନ ଭୋଜନ କରିବା ପରେ ଅପରାହ୍ନ ୪ଟା ୫ ମିନିଟରେ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ କାର୍ଯ୍ୟକ୍ରମକୁ ଯିବେ ମହାମହିମ । ରାଷ୍ଟ୍ରପତି ହେବା ପରେ ନିଜେ ପଢ଼ୁଥିବା ବିଶ୍ୱବିଦ୍ୟାଳୟକୁ ପ୍ରଥମଥର ପାଇଁ ଯିବେ ମ୍ୟାଡାମ ପ୍ରେସିଡେଣ୍ଟ । ଉତ୍ସବରେ ରାଷ୍ଟ୍ରପତିଙ୍କ ଦୀକ୍ଷାନ୍ତ ଭାଷଣ ରହିବ।

ଏହି ଅବସରରେ ୨୨ ଜଣଙ୍କୁ ସ୍ବର୍ଣ୍ଣପଦକ ଓ ୪ ଜଣଙ୍କୁ ସମ୍ମାନ ସୂଚକ ଡିଲିଟ୍ ଉପାଧି ପ୍ରଦାନ କରାଯିବ । ଏହାସହ ୭ ହଜାର ୪୩୦ ଜଣ ଛାତ୍ରୀଙ୍କୁ ମିଳିବ ଡିଗ୍ରୀ ସାର୍ଟିଫିକେଟ । ପଦ୍ମଶ୍ରୀ ପୁରସ୍କାର ପ୍ରାପ୍ତ ଶ୍ରୀମତୀ ପୂର୍ଣମାସି ଜାନି, ପଦ୍ମଶ୍ରୀ ଶ୍ରୀମତୀ ସୁନିଥା କ୍ରିଷ୍ଣନ, ପଦ୍ମଶ୍ରୀ ଡ଼. ଅରୁଣା ମହାନ୍ତିଙ୍କୁ ଡିଲିଟ୍ ଉପାଧି ମିଳିବ । କାର୍ଯ୍ୟକ୍ରମରେ ରାଷ୍ଟ୍ରପତିଙ୍କ ୩୦ଜଣ ସହପାଠୀନୀ ଉପସ୍ଥିତ ରହିବେ। ଆସନ୍ତାକାଲି ସକାଳ ୯ଟା ୧୦ମିନିଟରେ ପ୍ରଭୁ ଲିଙ୍ଗରାଜଙ୍କ ମନ୍ଦିର ଯାଇ ଦର୍ଶନ କରିବେ ମହାମହିମ । ପରେ କଟକ ଗସ୍ତ କରି ବିଦ୍ୟାଧରପୁର ସ୍ଥିତ ଧାନ ଗବେଷଣା ପ୍ରତିଷ୍ଠାନରେ ଆୟୋଜିତ ଦ୍ୱିତୀୟ ଜାତୀୟ ଧାନ କଂଗ୍ରେସ ସମ୍ମିଳନୀକୁ ଉଦଘାଟନ କରିବେ ରାଷ୍ଟ୍ରପତି ।