ବାଣୀବିହାରରୁ ବରୁଣେଇ ସବୁଠି ପ୍ରସ୍ତୁତି, କାଲି ଆସୁଛନ୍ତି ରାଷ୍ଟ୍ରପତି

ଭୁନେଶ୍ୱର: ଚଳଚଞ୍ଚଳ ଉତ୍କଳ ବିଶ୍ବବିଦ୍ୟାଳୟ । ନେତା, ମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି କୁଳପତି ଏବଂ ଛାତ୍ରଛାତ୍ରୀ ସମସ୍ତେ ତତ୍ପର । ମଞ୍ଚ ପ୍ରସ୍ତୁତ, ଭବ୍ୟ ସାଜସଜା ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ  ସ୍ୱାଗତ କରିବା ପାଇଁ । ବିଶ୍ୱବିଦ୍ୟାଳୟର ପ୍ଳ।ଟିନମ୍‌ ଜୁବଲି ଉଦ୍‌ଯାପନୀ ଉତ୍ସବରେ ରାଷ୍ଟ୍ରପତି ଯୋଗ ଦେବେ । ଏହି ଅବସରରେ ରୁସା ଭବନର ଶିଳାନ୍ୟାସ କରିବେ ରାଷ୍ଟ୍ରପତି । ରାଷ୍ଟ୍ରପତିଙ୍କ ସମେତ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ ଉପସ୍ଥିତ ରହିବେ।

ସେପଟେ ରାଷ୍ଟ୍ରପତିଙ୍କୁ ସ୍ୱାଗତ କରିବାକୁ ଖୋର୍ଦ୍ଧା ବରୁଣେଇ ବି ପ୍ରସ୍ତୁତ । ପାଇକ ବିଦ୍ରୋହର ୨ଶହ ବର୍ଷ ପୂର୍ତ୍ତି ଉତ୍ସବରେ ରାଷ୍ଟ୍ରପତି ଯୋଗ ଦେବେ । ଏହି ଅବସରରେ ୧୦ ଏକର ପରିମିତ ପାହାଡ଼ ପାଦଦେଶରେ ପାଇକ ଭବନର ଶିଳାନ୍ୟାସ କରିବେ ମହାମହିମ ରାଷ୍ଟ୍ରପତି ରାମନାଥ କୋବିନ୍ଦ।

ରାଷ୍ଟ୍ରପତିଙ୍କ ଗସ୍ତ ପାଇକ ବଂଶଧରମାନଙ୍କ ମଧ୍ୟରେ ଉତ୍ସାହ ଭରିଦେଇଛି । ଦୁଇ ଶହ ବର୍ଷ ତଳର ପାଇକ ବିଦ୍ରୋହର ଗାଥା ପୁଣି ବରୁଣେଇ ପାଦଦେଶରେ ଉଜ୍ଜୀବିତ ହେବ । ଏଥିପାଇଁ ଜିଲ୍ଲା ପ୍ରଶାସନ ପ୍ରସ୍ତୁତି ଚୁଡାନ୍ତ କରିଛି । ମହାମହିମଙ୍କ ଗସ୍ତପାଇଁ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି ।

ରାଷ୍ଟ୍ରପତିଙ୍କ ଗସ୍ତନେଇ ରାଜଧାନୀରୁ ଖୋର୍ଦ୍ଧା ପର୍ଯ୍ୟନ୍ତ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ଭୁବନେଶ୍ୱର ଡିସିପିଙ୍କ ନେତୃତ୍ୱରେ ସୁରକ୍ଷା ବ୍ଳୁପ୍ରିଣ୍ଟ ପ୍ରସ୍ତୁତ ହୋଇଛି । ଖୋର୍ଦ୍ଧାରେ ୧୦ ହଜାର ଲୋକଙ୍କ ସମାଗମ ହେବାକୁ ଥିବା ବେଳେ ଉତ୍କଳ ବିଶ୍ୱବିଦ୍ୟାଳୟରେ ୪ ହଜାର ଲୋକ ବସିବା ପାଇଁ ବ୍ୟବସ୍ଥା କରାଯାଇଛି ।

Leave a Reply