ଜାନୁଆରୀରୁ ଆମେରିକାରେ ବଦଳିପାରେ ଅନେକ ନିୟମ; ସାରା ବିଶ୍ୱରେ ଲାଗି ରହିଛି ସସପେନ୍ସ
1 min readନନ୍ଦିଘୋଷ ବ୍ୟୁରୋ: ଆସନ୍ତା ଜାନୁଆରୀରୁ ଆମେରିକାରେ ବଦଳିପାରେ ଅନେକ ନିୟମ । ଏହାକୁ ନେଇ ସାରା ବିଶ୍ବରେ ଲାଗି ରହିଛି ସସପେନ୍ସ । ନାଗରିକତ୍ବ, ଅର୍ଥନୀତି, ବାଣିଜ୍ୟଠାରୁ ଆରମ୍ଭ କରି ଇମିଗ୍ରେସନ ପ୍ରସଙ୍ଗରେ ଅନେକ ନୀତିର ପରିବର୍ତ୍ତନ କରିପାରନ୍ତି ନବନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ସବୁଠାରୁ ଜନ୍ମଗତ ଅଧିକାର ପ୍ରସଙ୍ଗରେ ବି ଟ୍ରମ୍ପ ନେଇପାରନ୍ତି ନୂଆ ପଦକ୍ଷେପ। ଜନ୍ନଗତ ଅଧିକାର ସଂକ୍ରାନ୍ତ ନାଗରିକତ୍ବ ନିୟମକୁ ହାସ୍ୟାସ୍ପଦ କହିଛନ୍ତି ଟ୍ରମ୍ପ । ଜାନୁଆରୀ ୨୦ ପରେ ଏହି ନିୟମକୁ ହଟାଇଦିଆଯିବା ନେଇ ଦେଇଛନ୍ତି ପୂର୍ବାଭାସ । ଫଳରେ ୧୫୦ ବର୍ଷ ଧରି ଚାଲିଆସିଥିବା ନିୟମରେ ଆସିପାରେ ପରିବର୍ତ୍ତନ । ଆମେରିକା ସମ୍ବିଧାନର ଧାରା ୧୪ ଅନୁସାରେ ଆମେରିକା ସୀମା ମଧ୍ୟରେ ଜନ୍ମିତ ଯେକୌଣସି ଦେଶର ନାଗରିକଙ୍କ ସନ୍ତାନକୁ ନାଗରିକତ୍ୱ ପ୍ରଦାନ କରାଯାଇଥାଏ । ତେବେ ଏହି ନିୟମର ବ୍ୟାପକ ଅପବ୍ୟବହାର ହେଉଥିବା ଅଭିଯୋଗ ହୋଇ ଆସୁଛି। ଏହି ନିୟମକୁ ଆଶ୍ରା କରି ଅନେକ ଗର୍ଭବତୀ ଆମେରିକାକୁ ଚାଲିଆସୁଥିବା ଜଣାଯାଇଛି । ୨୦୨୨ ଜନଗଣନା ଅନୁସାରେ ଆମେରିକାର ୪୮ ଲକ୍ଷ ଭାରତୀୟ-ଆମେରିକୀୟ ବାସ କରୁଛନ୍ତି । ସେମାନଙ୍କ ମଧ୍ୟରୁ ୧୬ ଲକ୍ଷ ଲୋକଙ୍କ ଜନ୍ମ ଆମେରିକାରେ ହୋଇଛି । ଯଦି ଟ୍ରମ୍ପ ଏହି ଅଧିକାରକୁ ହଟାଇ ଦିଅନ୍ତି ତେବେ୧୬ ଲକ୍ଷ ଭାରତୀୟଙ୍କ ସ୍ଥିତି ସାଂଘାତିକ ହେବ ।
ସେହିପରି ଜାନୁଆରୀରେ ୟୁକ୍ରେନକୁ ଆମେରିକାର ସହାୟତା ହ୍ରାସ ପାଇବ ବୋଲି ସେ ସୂଚନା ଦେଇଛନ୍ତି । ଏହା ସହ ଦେଶରେ ଯେଉଁ କମ୍ପାନୀ ୧ ବିଲିୟନ ଡଲାର ନିବେଶ କରିବାକୁ ଚାହୁଁଛନ୍ତି ସେମାନଙ୍କୁ ସମ୍ପୂର୍ଣ୍ଣ ଅନୁମତି ଦିଆଯିବ ବୋଲି କହିଛନ୍ତି ଟ୍ରମ୍ପ । ସେପଟେ ୨୦୨୧ ଜାନୁଆରୀ ୬ କ୍ୟାପିଟଲ ହଙ୍ଗାମା ମାମଲାରେ ଅଭିଯୁକ୍ତଙ୍କୁ ମୁକ୍ତି ମିଳିବ ବୋଲି ସୂଚନା ଦେଇଛନ୍ତି ଟ୍ରମ୍ପ ।