ଶିମିଳିପାଳ ଅଭୟାରଣ୍ୟ ପରିଦର୍ଶନ କଲେ ମହାମହିମ ରାଷ୍ଟ୍ରପତି

ବାରିପଦା: ଜନ୍ମମାଟିରେ ମହାମହିମ । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ୩ ଦିନିଆ ଓଡ଼ିଶା ଗସ୍ତର ଆଜି ଦ୍ବିତୀୟ ଦିନ । ଆଜି ଶିମିଳିପାଳ ଅଭୟାରଣ୍ୟରେ ଯାଇଛନ୍ତି ମହାମହିମ । ଏଥିପାଇଁ ପର୍ଯ୍ୟଟକଙ୍କ ପାଇଁ ଶିମିଳିପାଳ ଅଭୟାରଣ୍ୟ ବନ୍ଦ କରାଯାଇଛି । ସନ୍ଧ୍ୟାରେ ଅଭୟାରଣ୍ୟ ବୁଲିସାରି ବାରିପଦା ଗେଷ୍ଟ ହାଉସରେ ବିଶ୍ରାମ ନେବେ ମହାମହିମ । ଏହା ପୂର୍ବରୁ ରାଇରଙ୍ଗପୁରରେ ଥିବା ଶିବମନ୍ଦିର ଓ ଜଗନ୍ନାଥ ମନ୍ଦିର ଦର୍ଶନ କରିଥିଲେ ।

ପରେ ଦାଣ୍ଡବୋଷ ଠାରେ ଥିବା ପଣ୍ଡିତ ରଘୁନାଥ ମୁର୍ମୁଙ୍କ ସମାଧି ପୀଠରେ ମାଲ୍ୟାର୍ପଣ କରିଥିଲେ ରାଷ୍ଟ୍ରପତି । ପଣ୍ଡିତ ରଘୁନାଥ ମୁର୍ମୁଙ୍କ ସମ୍ପର୍କୀୟଙ୍କ ସହ ଆଲୋଚନା କରିଥିଲେ ରାଷ୍ଟ୍ରପତି । ସେହିପରି ଆସନ୍ତାକାଲି ବାରିପଦାରେ ମହାରାଜା ଶ୍ରୀରାମ ଚନ୍ଦ୍ର ଭଞ୍ଜଦେଓ ବିଶ୍ବବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ଯୋଗଦେବେ । ସେଠାରେ ଛାତ୍ରଛାତ୍ରୀଙ୍କ ଉଦ୍ଦେଶ୍ୟରେ ଦୀକ୍ଷାନ୍ତ ଭାଷଣ ଦେବାର କାର୍ଯ୍ୟକ୍ରମ କରିଛି । ପରେ ସେହିଦିନ ନୂଆଦିଲ୍ଲୀ ଫେରିଯିବେ ମହାମହିମ । ରାଷ୍ଟ୍ରପତିଙ୍କ ଗସ୍ତକୁ ନଜରରେ ରଖି ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । ଗତକାଲି ମହୁଲଡିହା ଠାରେ ଥିବା ବାସଭବନରେ ରାତ୍ରୀ ଯାପନ କରିଥିଲେ।