ଆଜିଠୁ ଦୁଇ ଦିନିଆ ଗସ୍ତରେ ରାଷ୍ଟ୍ରପତି, ରାଜଭବନରେ ରହିଛି ମହାପ୍ରସାଦ ବ୍ୟବସ୍ଥା
1 min readଭୁବନେଶ୍ବର: ଆଜିଠୁ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ମହାମହିମ ରାଷ୍ଟ୍ରପତି । ସକାଳ ୧୦ଟା ୫୦ରେ ବାୟୁସେନାର ସ୍ବତନ୍ତ୍ର ବିମାନରେ ଭୁବନେଶ୍ବରରେ ପହଞ୍ଚିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ବିମାନବନ୍ଦରରେ ରାଷ୍ଟ୍ରପତିଙ୍କୁ ସ୍ବାଗତ ପାଇଁ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ, ମୁଖ୍ୟ ଶାସନ ସଚିବ, ପୋଲିସ ଡିଜି, ମେୟର ପ୍ରମୁଖ ଉପସ୍ଥିତ ରହିବେ । ସେଠାରେ ତାଙ୍କୁ ଗାର୍ଡ ଅଫ ଅନର ପ୍ରଦାନ କରାଯିବା ପରେ ସେ ପୁରୀ ଯିବେ । ସୁରକ୍ଷା ବ୍ୟବସ୍ଥା ପାଇଁ ଭୁବନେଶ୍ବର ଡିସିପିଙ୍କ ନେତୃତ୍ବରେ ମୁତୟନ ହୋଇଛନ୍ତି ୩୪ ପ୍ଲାଟୁନ ପୋଲିସ ।
ଦାୟିତ୍ବରେ ରହିଛନ୍ତି ୨୦୦ ବରିଷ୍ଠ ଅଧିକାରୀ, ୪ ଡିସିପି, ୨୨ ଅତିରିକ୍ତ ଡିସିପି, ୬୨ ଡିଏସପି, ୨୦୦ ଏସଆଇ-ଏଏସଆଇ ଓ ଡଗ ସ୍କ୍ବାଡ ନିୟୋଜିତ ହୋଇଛନ୍ତି । ପରେ ଭୁବନେଶ୍ବର ବିମାନ ବନ୍ଦରରୁ ରାଷ୍ଟ୍ରପତି ସ୍ବତନ୍ତ୍ର ବିମାନରେ ପୁରୀ ଗସ୍ତରେ ଯାଇ ତାଳବଣିଆ ହେଲିପ୍ୟାଡରେ ଅବତରଣ କରିବେ । ସେଠାରୁ ଶ୍ରୀମନ୍ଦିର ଯାଇ ଶ୍ରୀଜିଉଙ୍କୁ ଦର୍ଶନ କରିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଶ୍ରୀମନ୍ଦିର ଗର୍ଭଗୃହରେ ମହାପ୍ରଭୁଙ୍କ ଦର୍ଶନ କରି ବେଢା ପରିକ୍ରମା କରିବେ ।
୪୫ ମିନିଟର ଦର୍ଶନ କାର୍ଯ୍ୟକ୍ରମ ପରେ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବେ ରାଷ୍ଟ୍ରପତି । ରାଜଭବନରେ ରହିଛି ମହାପ୍ରସାଦ ସେବନ ବ୍ୟବସ୍ଥା । ସୁରକ୍ଷା ଲାଗି ୨୪ ପ୍ଲାଟୁନ ପୋଲିସ ଫୋର୍ସ, ୫ କମାଣ୍ଡାଣ୍ଟ, ୭ ଅତିରିକ୍ତ ଏସପି, ୧୮ ଡିଏସପି, ୩୦ ଇନ୍ସପେକ୍ଟର, ୧୧୦ ଏଏସଆଇ ଓ ଏସଆଇ ମୁତୟନ ହୋଇଛନ୍ତି ।
ପୁରୀରୁ ଫେରିବା ପରେ ମହାମହିମ ଭୁବନେଶ୍ବରର ଏକାଧିକ ଛକରେ ଥିବା ବରପୁତ୍ରଙ୍କୁ ପୁଷ୍ପମାଲ୍ୟ ଅର୍ପଣ କରି ରାଜଭବନରେ ସିଭିକ୍ ରିସେପସନ କାର୍ଯ୍ୟକ୍ରମରେ ଯୋଗଦେବେ ।
୧୧ ତାରିଖରେ ଖଣ୍ଡଗିରି ତପୋବନ ହାଇସ୍କୁଲ, ୟୁନିଟ-୨ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଓ କୁନ୍ତଳା କୁମାରୀ ସାବତ ଆଦିବାସୀ ଛାତ୍ରୀ ନିବାସ ପରିଦର୍ଶନ କରିବେ । ଜୟଦେବ ଭବନରେ ସର୍ବଭାରତୀୟ ବୈଷୟିକ ଶିକ୍ଷା ପରିଷଦର କାର୍ଯ୍ୟକ୍ରମ ଯୋଗଦେବେ । ପରେ ଦିଲ୍ଲୀ ପ୍ରତ୍ୟବର୍ତ୍ତନ କରିବେ ।