ରାଷ୍ଟ୍ରପତି ଭବନରେ କୁନି ପିଲାଙ୍କ ସହ ହୋଲି ଖେଳିଲେ ମହାମହିମ

ନନ୍ଦିଘୋଷ ବ୍ୟୁରୋ: ବୁଧବାର ରଙ୍ଗର ପର୍ବ ହୋଲି । ସାରା ଦେଶରେ ରଙ୍ଗର ପର୍ବ ଲାଗି ଉତ୍ସାହ ଓ ଉଦ୍ଦୀପନା । ଅନେକ ସ୍ଥାନରେ ଆଜିଠାରୁ ଆରମ୍ଭ ହୋଇଛି ସେଲିବ୍ରେସନ । ଏହି ଅବସରରେ ରାଷ୍ଟ୍ରପତି ଭବନରେ ପାଳନ ହୋଇଛି ସ୍ବତନ୍ତ୍ର ଉତ୍ସବ । ହୋଲି ଖେଳିଛନ୍ତି ମହାମହିମ ।  ରାଷ୍ଟ୍ରପତି ଭବନରେ ଆୟୋଜିତ ଉତ୍ସବରେ ବିଭିନ୍ନ ସ୍କୁଲ ଓ ସଂଗଠନର ଛାତ୍ରଛାତ୍ରୀଙ୍କ ସହ ଉତ୍ସବରେ ସାମିଲ ହୋଇଥିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ।

ହିନ୍ଦୁ ଧର୍ମରେ ହୋଲିର ରହିଛି ଗୁରୁତ୍ୱପୂର୍ଣ୍ଣ ଗାଥା  । ଏ ଉତ୍ସବ ଗାଁରୁ ସହର ସବୁଠି ପାଳନ କରାଯାଇଥାଏ  । ପ୍ରଭୁ ଶ୍ରୀକୃଷ୍ଣ  ଗୋପଙ୍ଗନାଙ୍କ ସହ ଖେଳିଥିଲେ ରଙ୍ଗର ହୋଲି  । ସଭିଙ୍କ ଦେହରେ ମାଖିଥିଲେ ଅବୀର  । ତେଣୁ ଏମିତି କୌଣସି ସ୍ଥାନ ନାହିଁ ଯେଉଁଠି ହୋଲି ପାଳନ ହୋଇନଥାଏ  । ହୋଲି ପାଇଁ ସଜାଇ ହୋଇଥାଏ ପୁରପଲ୍ଲୀ  । ସଭିଙ୍କ ମନରେ ଆସିଥାଏ ନବ ପୁଲକ  । ଗାଁ ଗାଁ ପ୍ରଭୁ ଦୋଳଗୋବିନ୍ଦ ବିମାନରେ ବସି ହୋଲି ଖେଳିଥାନ୍ତି, ଭୋଗ କାଇଥାନ୍ତି  ।

ତେଣୁ ଏଭଳି ମୂହୂର୍ତ୍ତରେ ରାଷ୍ଟ୍ରପତି ମଧ୍ୟ ସାମିଲ ହୋଇଛନ୍ତି  । ରାଷ୍ଟ୍ରପତି ଭବନ ରାଇସିନା ହିଲ୍ସରେ ପାଳନ ହୋଇଛି ରଙ୍ଗାରଙ୍ଗ କାର୍ଯ୍ୟକ୍ରମ  । କୁନି କୁନି ପିଲାଙ୍କ ସହ ହୋଲି ଖେଳିଥିଲେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ  ।  କିଛି ସମୟ ଲାଗି ରାଷ୍ଟ୍ରପତି ଭବନରେ ସୃଷ୍ଟି ହୋଇଥିଲା ଖୁସିର ମାହୋଲ ।