ଆଜି ଓଡ଼ିଶା ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ବ୍ୟୁରୋ ରିପୋର୍ଟ: ଆଜିଠୁ ୪ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଅପରାହ୍ମରେ ରାଇରଙ୍ଗପୁରରେ ପହଞ୍ଚିବେ ମହାମହିମ। ମୟୂରଭଞ୍ଜ ସମେତ କେନ୍ଦୁଝର, କଟକ, ଭୁବନେଶ୍ବର, ସମ୍ବଲପୁର ଓ ବ୍ରହ୍ମପୁରରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବେ ମ୍ଯାଡାମ ପ୍ରେସିଡେଣ୍ଟ। ରାଇରଙ୍ଗପୁରରେ ରାଷ୍ଟ୍ରପତି ବିଭିନ୍ନ ପ୍ରକଳ୍ପର ଶିଳାନ୍ଯାସ ଓ ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି।

ଆସନ୍ତାକାଲି ସକାଳେ ଖିଚିଂ ଯାଇ ମାଆ କିଚକେଶ୍ବରୀଙ୍କ ଦର୍ଶନ କରିବେ ରାଷ୍ଟ୍ରପତି। ପରେ କେନ୍ଦୁଝର ଧରଣୀଧର ବିଶ୍ବବିଦ୍ଯାଳୟରେ କେନ୍ଦୁଝରର ଜନଜାତିଙ୍କ ଉପରେ ଆୟୋଜିତ ଆଲୋଚନା ଚକ୍ରର ଉଦଘାଟନ କରିବେ। ଏହାପରେ ଭୁବନେଶ୍ବର ଆସି ଉତ୍କଳ ବିଶ୍ବବିଦ୍ଯାଳୟର ୫୩ତମ ସମାବର୍ତ୍ତନ ଉପରେ ମୁଖ୍ଯ ଅତିଥି ଭାବେ ଯୋଗଦେବେ। ରାଜଭବନରେ ରାତ୍ରୀଯାପନ କରିବା ପରେ ମାର୍ଚ୍ଚ ଏକ ତାରିଖରେ ବ୍ରହ୍ମପୁର ବିଶ୍ବବିଦ୍ଯାଳୟର ୨୫ତମ ସମାବର୍ତ୍ତନ ଉତ୍ସବରେ ଯୋଗଦେବେ ମହାମହିମ। ଭୁବନେଶ୍ବର ଫେରି ଅପରାହ୍ମରେ କଟକ ଜବାହାରଲାଲ ନେହେରୁ ଇନଡୋର ଷ୍ଟାଡିୟମରେ ବ୍ରହ୍ମାକୁମାରୀ ଈଶ୍ବରୀୟ ବିଶ୍ବବିଦ୍ଯାଳୟର ସୁବର୍ଣ୍ଣ ଜୟନ୍ତୀ କାର୍ଯ୍ୟକ୍ରମରେ ଯୋଗଦେବେ।

୨ ତାରିଖରେ ସମ୍ବଲପୁର ଗସ୍ତ କରି କଦଳୀଗଡ଼ ଓ ରେଢାଖୋଲରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ ରାଷ୍ଟ୍ରପତି । ପରେ ଝାରସୁଗୁଡ଼ା ଏୟାରପୋର୍ଟରେ ଦିଲ୍ଲୀ ଅଭିମୁଖେ ଯାତ୍ରା କରିବେ। ମହାମହିମଙ୍କ ଗସ୍ତ ପାଇଁ ଟୁଇନସିଟିରେ ହାଇଆଲର୍ଟ ଜାରି କରାଯାଇଛି। ଏନେଇ ରାଷ୍ଟ୍ରପତିଙ୍କ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ବ୍ଲୁ ବୁକ ଗାଇଡଲାଇନ ମୁତାବକ ରହିବ ସୁରକ୍ଷା ବ୍ଯବସ୍ଥା। ଟୁଇନସିଟିରେ ମୁତୟନ ହେବେ ୫୦ ପ୍ଲାଟୁନ ପୋଲିସ ଫୋର୍ସ । ଭୁବନେଶ୍ୱର ପାଇଁ ୩୦ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହେବେ ।