ଦୁଇଦିନିଆ ଓଡ଼ିଶା ଗସ୍ତରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ: ଭୁବନେଶ୍ବରରେ ପହଞ୍ଚିଛନ୍ତି ମହାମହିମ

1 min read

ଭୁବନେଶ୍ବର: ଦୁଇଦିନିଆ ଓଡ଼ିଶା ଗସ୍ତରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଭୁବନେଶ୍ବରରେ ପହଞ୍ଚିଛନ୍ତି ମହାମହିମ । ଭୁବନେଶ୍ବର ଏୟାରପୋର୍ଟରୁ ବାହାରି ଭୁବନେଶ୍ବର ସିଜୁଆ ସ୍ଥିତ AIIMS ହସପିଟାଲରେ ପହଞ୍ଚିବେ ରାଷ୍ଟ୍ରପତି । AIIMS ର ପଞ୍ଚମ ସମାବର୍ତ୍ତନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ଅଭିଭାଷଣ ରଖିବା ସହିତ ୬୪୩ ଜଣ ଛାତ୍ରଛାତ୍ରୀଙ୍କୁ ଡିଗ୍ରୀ ସାର୍ଟିଫିକେଟ୍ ପ୍ରଦାନ କରିବେ । ସେହିପରି ୩୧ ଜଣ କୃତି ଛାତ୍ରଛାତ୍ରୀଙ୍କୁ ବିଭିନ୍ନ ବିଭାଗରେ ସଫଳତା ପାଇଁ ୫୯ଟି ସ୍ଵର୍ଣ୍ଣ ପଦକ ପ୍ରଦାନ କରିବେ । ସେଠାରୁ ୬ଟା ୪୫ରେ ବାହାରି ସିଧା ରାଜଭବନ ଯାଇ ରାତ୍ରୀଯାପନ କରିବେ । ୧୫ ତାରିଖରେ କଟକରେ ବିଭିନ୍ନ କାର୍ଯ୍ୟକ୍ରମରେ ସାମିଲ ହେବେ ରାଷ୍ଟ୍ରପତି ।

ସକାଳ ୧୦ରୁ ରାଜଭବନରୁ ବାହାରି ୧୦ଟା ୫୦ରେ କଟକ ରେଭେନ୍ସା ବିଶ୍ବବିଦ୍ୟାଳରରେ ପହଞ୍ଚିବେ । ୧୧ଟାରୁ ୧୨ ଯାଏଁ ରେଭେନ୍ସା ବିଶ୍ବବିଦ୍ୟାଳୟର ୧୩ତମ ସମାବର୍ତ୍ତନ ଉତ୍ସବରେ ସାମିଲ ହେବେ । ୧୨ଟା ୨୦ରେ ରେଭେନ୍ସା ଗାର୍ଲ୍ସ ହାଇସ୍କୁଲ ଉନ୍ନତିକରଣର ଭିତ୍ତିପ୍ରସ୍ତର ସ୍ଥାପନ କରିବେ । ଏହାପରେ ମାଛୁଆ ବଜାର ସର୍କିଟ ହାଉସରେ ମଧ୍ୟାହ୍ନ ଭୋଜନ ପରେ ତୁଳସୀପୁର ବିଜୁ ପଟ୍ଟନାୟକ ଛକ ନିକଟରେ ପହଞ୍ଚି ଆଦିକବି ଶାରଳା ଦାସଙ୍କ ମାଲ୍ଯାର୍ପଣ କରିବେ । ଏହାପରେ ୪ଟାରୁ ୫ ଟା ଯାଏଁ ଇଣ୍ଡୋର ଷ୍ଟାଡିୟମରେ ଶାରଳା ସାହିତ୍ଯ ସଂସଦ ଦ୍ବାରା ଆୟୋଜିତ ଶାରଳା ଦାସଙ୍କ ୬ଶହ ତମ ଜନ୍ମ ଜୟନ୍ତି କାର୍ଯ୍ୟକ୍ରମରେ ସାମିଲ ହେବେ । ସେଠାରୁ ବାହାରି ୬ଟା ବେଳେ ଭୁବନେଶ୍ବର ଏୟାରପୋର୍ଟରେ ପହଞ୍ଚି ଦିଲ୍ଲୀ ଫେରିଯିବେ ।