ଆସନ୍ତାକାଲି ନୟାଗଡ କଣ୍ଟିଲୋ ଗସ୍ତରେ ଆସିବେ ରାଷ୍ଟ୍ରପତି ; ସୁରକ୍ଷା ବ୍ୟବସ୍ଥାକୁ କଡାକଡି

1 min read

ନନ୍ଦିଘୋଷ ବ୍ୟୁରା : ଆସନ୍ତାକାଲି ନୟାଗଡ କଣ୍ଟିଲୋ ଗସ୍ତରେ ଆସିବେ ରାଷ୍ଟ୍ରପତି । ଏଥିପାଇଁ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତାକାଲି ମଧ୍ୟାହ୍ନ ସାଢେ ୧ଟା ସମୟରେ ପ୍ରଥମେ ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିବେ ଏବଂ ସେଠାରୁ ସ୍ବତନ୍ତ୍ର ହେଲିକପ୍ଟର ଯୋଗେ କଣ୍ଟିଲୋ ନୀଳମାଧବ ମନ୍ଦିର ଗସ୍ତ କରିବେ । ସେଠାରେ ପୂଜା କରିବା ପରେ ଅନ୍ୟ କାର୍ଯ୍ୟକ୍ରମରେ ଯୋଗଦେବେ । କଣ୍ଟିଲୋ ନୀଳମାଧବଙ୍କ ଦର୍ଶନ କରିବା ପରେ ଜଗନ୍ନାଥ ସଂସ୍କୃତିର ମୂଳପୀଠ ତଥା ଭାପୁର ବ୍ଲକ ଅଧୀନ କାଳିଆପଲ୍ଲୀ ଜଙ୍ଗଲ ମଧ୍ୟରେ ଶବର ରାଜା ବିଶ୍ବାବସୁ ଓ ଲଲିତାଙ୍କ ଜନ୍ମମାଟି ପରିଦର୍ଶନ କରିବେ ।

ଏହାପରେ କାଳିଆପଲ୍ଲୀ ଗ୍ରାମରେ ଥିବା ଶବର ରାଜା ବିଶ୍ବାବସୁଙ୍କ ପୀଠ ପରିଦର୍ଶନ କରିବା ସହ ବିଶ୍ବଶାନ୍ତି ମହାଯଜ୍ଞର ପୂର୍ଣ୍ଣାହୁତି କାର୍ଯ୍ୟକ୍ରମରେ ଯୋଗଦେବେ । ଶେଷରେ ବିଶ୍ବାବସୁ ଶବର ସମାଜ ଦ୍ବାରା ଆୟୋଜିତ ସାଧାରଣ ସଭାରେ ଯୋଗଦେବେ । ରାଷ୍ଟ୍ରପତିଙ୍କ ଗସ୍ତକୁ ଦୃଷ୍ଟିରେ ରଖି ଆଇନଶୃଙ୍ଖଳା ବ୍ୟବସ୍ଥା, ଅସ୍ଥାୟୀ ହେଲିପ୍ୟାଡ ଓ ଅନ୍ୟାନ୍ୟ ବ୍ୟବସ୍ଥା ପରିଚାଳନା ନେଇ ସ୍ଥିତି ସମୀକ୍ଷା କରିଛନ୍ତି ନୟାଗଡ଼ ଜିଲାପାଳ ଓ ଏସ୍‌ପି । ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯିବା ସହ କାରକେଡ ବ୍ୟବସ୍ଥା କଡାକଡି କରାଯାଇଛି । ୧୨ ପ୍ଲାଟୁନ୍ ଫୋର୍ସ ସହ ୩ DCP ସୁରକ୍ଷା ଦାୟିତ୍ବରେ ରହିବେ । ଗନ୍ତବ୍ୟସ୍ଥଳ ମାନଙ୍କରେ ସୁରକ୍ଷା ବ୍ୟବସ୍ଥା ସହ ଟ୍ରାଫିକ ନିୟନ୍ତ୍ରଣ ଦାୟିତ୍ୱରେ ବଛା ବଛା ଅଫିସରଙ୍କୁ ଦାୟିତ୍ୱ ଦିଆଯାଇଛି ବୋଲି ସୂଚନା ଦେଇଛନ୍ତି ଭୁବନେଶ୍ୱର ଡିସିପି ।