ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି, କମିଶନରେଟ ପୋଲିସ ପକ୍ଷରୁ ପ୍ରସ୍ତୁତି ଜୋରଦାର

ଭୁବନେଶ୍ୱର: ଆସନ୍ତା ୨୫ ତାରିଖରେ ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ତିନିଦିନିଆ ଗସ୍ତରେ ଭୁବନେଶ୍ବର ଓ କଟକର ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ । ୨୫ ତାରିଖ ଅପରାହ୍ନରେ ଭୁବନେଶ୍ବରରେ ପହଂଚିବା ପରେ ରାଜଭବନରେ ରାତ୍ରୀଯାପନ କରିବେ । ୨୬ ତାରିଖରେ କଟକରେ ବିଭିନ୍ନ କାର୍ଯ୍ୟକ୍ରମ ରହିଛି । ୨୭ ତାରିଖରେ ଭୁବନେଶ୍ବର ତମାଣ୍ଡୋରେ ଦାସବାଟିଆରେ ପ୍ରଜାପିତା ବ୍ରହ୍ମ କୁମାରୀର ଡିଭାଇନ ଲାଇଟ୍ ହାଉସର ଭିତ୍ତି ପ୍ରସ୍ତର ସ୍ଥାପନ କରିବାର କାର୍ଯ୍ୟକ୍ରମ ରହିଛି । ଏହା ସହିତ ବାଲିଆପଡ଼ାରେ ଆୟୋଜିତ ସାଧାରଣ ସଭାରେ ଯୋଗ ଦେବେ ମହାମହିମ । ରାଷ୍ଟ୍ରପତିଙ୍କ ଗସ୍ତ ନେଇ କମିଶନରେଟ ପୋଲିସ ପକ୍ଷରୁ ପ୍ରସ୍ତୁତି ଜୋରଦାର ହୋଇଛି । ବ୍ଲୁ ବୁକ୍ ଅନୁଯାୟୀ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରିଛି କମିଶନରେଟ ପୋଲିସ । ଏଥି ସହିତ ଟ୍ରାଫିକ୍ ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ଗସ୍ତ ସମୟରେ ରୁଟରେ ବ୍ଲକିଂ କରାଯିବ । ସାଧାରଣ ଲୋକ ଯେପରି ସମସ୍ୟାର ସମ୍ମୁଖୀନ ନ ହେବେ ସେଥିପ୍ରତି ଧ୍ୟାନ ଦିଆଯିବ ।