ପ୍ରଥମ ଥର କଟକ ଆସୁଛନ୍ତି ମହାମହିମ, ଚାଲିଛି ଜୋରଦାର ପ୍ରସ୍ତୁତି

ଭୁବନେଶ୍ବର: ଆସନ୍ତାକାଲି ଓଡିଶା ଗସ୍ତରେ ଆସୁଛନ୍ତି ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ତିନିଦିନିଆ ଓଡିଶା ଗସ୍ତ ପୂର୍ବରୁ ଆଜି କାରକେଡ୍ ରିହରସେଲ କରାଯାଇଛି । ସ୍ବତନ୍ତ୍ର ବିମାନ ଯୋଗେ ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିବା ପରେ ରାଜଭବନରେ ରାତ୍ରି ଯାପନ କରିବେ । ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ ବ୍ୟାପକ ବ୍ୟବସ୍ଥା ହୋଇଛି । ରାଷ୍ଟ୍ରପତି ହେବା ପରେ ପ୍ରଥମ ଥର ପାଇଁ କଟକ ଆସୁଛନ୍ତି ଦ୍ରୌପଦୀ ମୁର୍ମୁ । ଦିନ ତମାମ କଟକରେ ରହି ରାଷ୍ଟ୍ରପତି ୭ଟି କାର୍ଯ୍ୟକ୍ରମରେ ଯୋଗ ଦେବେ ।

ପ୍ରଥମେ ଦେବୀ କଟକଚଣ୍ଡୀଙ୍କ ଦର୍ଶନ କରିବା ପରେ ଶୈଳବାଳା ମହାବିଦ୍ୟାଳୟ ପରିସରରେ ଥିବା ମଧୁ ସଂଗ୍ରହାଳୟ ପରିଦର୍ଶନ କରିବେ । ପରେ ନେତାଜୀ ଜନ୍ମସ୍ଥାନ ସଂଗ୍ରହାଳୟକୁ ବୁଲିବାକୁ ଯିବେ । ଏହାପରେ କଟକ ଜବାହରଲାଲ ନେହେରୁ ଇଣ୍ଡୋର ଷ୍ଟାଡିୟମରେ ଓଡିଶା ହାଇକୋର୍ଟର 75 ତମ ପ୍ରତିଷ୍ଠା ସମାରୋହର ଉଦଯାପନୀ ଉତ୍ସବରେ ଯୋଗ ଦେବେ । ପରେ ନୂଆକରି ପ୍ରତିଷ୍ଠା ହୋଇ ଥିବା ନ୍ୟାୟିକ ମ୍ୟୁଜିୟମ ପରିଦର୍ଶନ କରିବେ ।

ଏହା ପରେ ରାଷ୍ଟ୍ରପତି କଟକ ଏସସିବିର ବାର୍ଷିକ ଉତ୍ସବରେ ଯୋଗ ଦେବେ । ଏସସିବି ପରେ ଜାତୀୟ ଆଇନ ବିଶ୍ବବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ସାମିଲ ହେବେ । ୨୭ ତାରିଖରେ ଭୁବନେଶ୍ବର ତମାଣ୍ଡୋ ଦାସବାଟିଆରେ ପ୍ରଜାପିତା ବ୍ରହ୍ମ କୁମାରୀର ଡିଭାଇନ ଲାଇଟ ହାଉସର ଭିତ୍ତିପ୍ରସ୍ତର ସ୍ଥାପନ କରିବାର କାର୍ଯ୍ୟକ୍ରମ ରହିଛି । ଏହା ସହିତ ବାଲିଆପଡ଼ାରେ ଆୟୋଜିତ ସାଧାରଣ ସଭାରେ ଯୋଗ ଦେବେ । ରାଷ୍ଟ୍ରପତିଙ୍କ ଗସ୍ତକୁ ନେଇ କମିଶନରେଟ ପୋଲିସ ପକ୍ଷରୁ ପ୍ରସ୍ତୁତି ଜୋରଦାର ହୋଇଛି । ବ୍ଲୁ ବୁକ ଅନୁଯାୟୀ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରିଛି କମିଶନରେଟ ପୋଲିସ । ଏଥି ସହିତ ଟ୍ରାଫିକ ବ୍ୟବସ୍ଥାକୁ ମଧ୍ୟ କଡାକଡି କରାଯାଇଛି ।