ସାରା ବିଶ୍ବରେ ଜନକଲ୍ୟାଣ କରୁଛି ବ୍ରହ୍ମକୁମାରୀ, ମହିଳାଙ୍କ ନିୟନ୍ତ୍ରଣ ରହିଛି ଅଗ୍ରଣୀ ସଂସ୍ଥା

ଭୁବନେଶ୍ୱର: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ତିନି ଦିନିଆ ଓଡ଼ିଶା ଗସ୍ତର ଆଜି ତୃତୀୟ ତଥା ଶେଷଦିନ । ଭୁବନେଶ୍ୱର ତମାଣ୍ଡୋର ଦଶବାଟିଆଠାରେ ବ୍ରହ୍ମାକୁମାରୀ କେନ୍ଦ୍ର ଲାଇଟ ହାଉସ୍ କମ୍ପ୍ଲେକ୍ସର ଶିଳାନ୍ୟାସ କଲେ ରାଷ୍ଟ୍ରପତି । ନିର୍ଦ୍ଧାରିତ ସମୟରେ ପହଞ୍ଚି ଏକ ଶାନ୍ତ ପରିବେଶରେ ଲାଇଟ ହାଉସ୍ କମ୍ପ୍ଲେକ୍ସର ଶିଳାନ୍ୟାସ କରିବା ପରେ ଆୟୋଜିତ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । କାର୍ଯ୍ୟକ୍ରମରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ସାମିଲ ଥିଲେ । ଏହି ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଉଦବୋଧନ ଦେଇଥିଲେ । ସମାଜରେ ପରିବର୍ତ୍ତନ ଆଣିବାକୁ ବ୍ରହ୍ମକୁମାରୀ ଅନେକ ପ୍ରୟାସ କରିଛି । ଆଜି ଲାଇଟ ହାଉସ୍ କମ୍ଲେକ୍ସର ଶିଳାନ୍ୟାସ କରି ମୁଁ ଖୁସି ବୋଲି ରାଷ୍ଟ୍ରପତି କହିଛନ୍ତି  ।

ବ୍ରହ୍ମକୁମାରୀ ଏକ ସାମାଜିକ ଓ ଆଧ୍ୟାତ୍ମିକ ଅନୁଷ୍ଠାନ । ପରିବର୍ତ୍ତନ ଏକ ଅପରିବର୍ତ୍ତନୀୟ ପ୍ରକ୍ରିୟା ଭଳି ବ୍ରହ୍ମକୁମାରୀରେ ଅନେକ ପରିବର୍ତ୍ତନ ଆସିଛି । ଜଳସ୍ରୋତା ସର୍ବଦା ପ୍ରବହମାନ । ନିଜେ ପରିବର୍ତ୍ତନ ହେଲେ ବିଶ୍ୱ ପରିବର୍ତ୍ତନ ହେବ । ସୂଚନା ଓ ପ୍ରଯୁକ୍ତି ବିଦ୍ୟାରେ ପରିବର୍ତ୍ତନ ହେତୁ ପୃଥିବୀରେ ଅନେକ ପରିବର୍ତ୍ତନ ହୋଇଛି । ବସ୍ତୁବାଦୀ ପରିବର୍ତ୍ତନ ସୁଖ ଦିଏ ମାତ୍ର ଶାନ୍ତି ଦେଇ ନଥାଏ । ମାନସିକ ଶାନ୍ତି ବିନା ଜଣେ ପ୍ରକୃତ ସୁଖ ପାଇ ପାରିବନାହିଁ । ସୋସିଆଲ ମିଡିଆ ଆମକୁ କୂପ ମଣ୍ଡୁକ ସଜାଇ ଦେଇଛି ବୋଲି କହିଛନ୍ତି ରାଷ୍ଟ୍ରପତି  । ନକରାତ୍ମକ ଚିନ୍ତାରୁ ମୁକୁଳି ସକରାତ୍ମକ ଦିଗ ଆଡକୁ ଯିବା । ଏଥିସହ ଆଧ୍ୟାତ୍ମିକ ବିକାଶ ହେଲେ ଆମେ ବିଶ୍ବ ଗୁରୁ ହୋଇପାରିବା ବୋଲି କହିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ।