ଦୁଇଦିନିଆ ମୟୂରଭଞ୍ଜ ଗସ୍ତରେ ମହାମହିମ ରାଷ୍ଟ୍ରପତି, ସ୍ବାଗତ ପାଇଁ ଜନ୍ମମାଟିରେ ବ୍ୟାପକ ପ୍ରସ୍ତୁତି

1 min read

ବାରିପଦା: ଦୁଇଦିନିଆ ମୟୂରଭଞ୍ଜ ଗସ୍ତରେ ଆଜିଠାରୁ ଯାଉଛନ୍ତି ମହାମହମିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଏହାସହ ନିଜ ଜନ୍ମମାଟିକୁ ବି ଯିବେ ରାଷ୍ଟ୍ରପତି । ଆଜି ଓ ଆସନ୍ତାକାଲି ଦୁଇ ଦିନରେ ସେ ଜିଲ୍ଲାରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ ।

ଆଜି ପୂର୍ବାହ୍ନ ୧୧ ଟା ୧୫ରେ ସେ କଲେଇକୁଣ୍ଡା ଏୟାରଷ୍ଟ୍ରିପରୁ ବାୟୁସେନାର ସ୍ବତନ୍ତ୍ର ହେଲିକେପ୍ଟର ଯୋଗେ ମୟୂରଭଞ୍ଜ ଜିଲ୍ଲାର କୁସୁମୀ ବ୍ଲକ ଅନ୍ତର୍ଗତ ରଙ୍ଗାମାଟିଆ ଅସ୍ଥାୟୀ ହ୍ୟାଲିପେଡରେ ଅବତରଣ କରିବେ । ତାଙ୍କୁ ସ୍ବାଗତ କରିବା ପାଇଁ ସଜେଇ ହୋଇଛି ଜନ୍ମମାଟି ।

ରାଇରଙ୍ଗପୁର ଓ ବାଙ୍ଗିରିପୋଷିଠାରେ ରାଷ୍ଟ୍ରପତିଙ୍କ କାର୍ଯ୍ୟକ୍ରମ ରହିଛି । ୧୧ଟା ୩୫ ମିନିଟ୍ ସମୟରେ ମହାମହିମ କୁସୁମୀ ବ୍ଲକ ଅନ୍ତର୍ଗତ ନିଜର ଜନ୍ମସ୍ଥାନ ଉପରବେଡା ଗ୍ରାମରେ ପହଞ୍ଚିବେ । ସେଠାରୁ କମଳା ବିମଳା ହାଇସ୍କୁଲ ପରିସରରେ ସ୍ଥାନୀୟ ଯୁବକମାନଙ୍କ ସହିତ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିବେ । ଏହାପରେ ୧୨ ଟା ୨୫ ମିନିଟରେ ନିଜ ପୈତୃକ ଘରକୁ ଯାଇ ଆତ୍ମୀୟ ସ୍ଵଜନଙ୍କୁ ଭେଟିବେ ।

ପରେ ରାଇରଙ୍ଗପୁର ହସ୍ପିଟାଲ ଯାଇ ସେଠାରେ ଏକ ଆମ୍ବୁଲାନ୍ସ ହସ୍ତାନ୍ତରର ଲୋକାର୍ପଣ କରିବେ ମହାମହିମ । ପରେ ମହିଳା ମହାବିଦ୍ୟାଳୟ ପରିଦର୍ଶନ କରି ସେଠାରେ ଛାତ୍ରୀମାନଙ୍କ ସହିତ ଆଲୋଚନା କରିବା ସହ ସନ୍ଧ୍ୟାରେ ରାଇରଙ୍ଗପୁର ସହରରେ ଥିବା ପୁଣ୍ୟେଶ୍ୱର ମନ୍ଦିର ଆଳତିରେ ଯୋଗ ଦେବେ । ରାଇରଙ୍ଗପୁରରେ ରାତ୍ରୀ ଯାପନ କରିବେ ରାଷ୍ଟ୍ରପତି ।

ଆସନ୍ତାକାଲି ସକାଳ ୧୦ଟା ୪୫ ମିନିଟରେ ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷିରେ ଏକ ସାଧାରଣ ସଭାରେ ସେ ଯୋଗ ଦେବେ ଓ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ କରିବେ । ଏଥିରେ ରହିଛି ୩ଟି ରେଳ ପ୍ରକଳ୍ପ । ବାଙ୍ଗିରିପୋଷି-ଗୋରୁମହିଷାଣୀ, ବୁଢାମରା-ଚାକୁଳିଆ ଏବଂ ବାଦାମ ପାହାଡ଼-କେଉଁଝରଗଡ ନୂତନ ରେଳ ପ୍ରକଳ୍ପର ଶିଳାନ୍ୟାସ କରିବା ସହ ରାଇରଙ୍ଗପୁରରେ ଏକ ଟ୍ରାଇବାଲ ରିସର୍ଚ୍ଚ ସେଣ୍ଟର, ଏୟାର ଷ୍ଟ୍ରିପ ଓ ରାଇରଙ୍ଗପୁର ଉପଖଣ୍ଡ ଡାକ୍ତରଖାନାର ପରିବର୍ଦ୍ଧିତ ପ୍ରକଳ୍ପର ଶିଳାନ୍ୟାସ କରିବାର କାର୍ଯ୍ୟକ୍ରମ ରହିଛି । ଏହି ସମସ୍ତ ଶିଳାନ୍ୟାସ କାର୍ଯ୍ୟକ୍ରମ ମହାମହିମ ରାଷ୍ଟ୍ରପତି ଭର୍ଚୁଆଲ ମୋଡରେ କରିବେ ।

ସେହିପରି ମୟୂରଭଞ୍ଜ ଗସ୍ତରେ ଯିବା ପୂର୍ବରୁ ଭୁବନେଶ୍ଵର ଏଜିଛକ ସ୍ଥିତ ଡାକ୍ତର ବାବାସାହେବ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ ସହ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ ମହାମହିମ ରାଷ୍ଟ୍ରପତି । ଏହା ପରେ କଡା ସୁରକ୍ଷା ବଳୟରେ ସେ ବିମାନବନ୍ଦର ଯାଇଥିଲେ । ସେଠାରୁ ସେ ନିଜ ଜନ୍ମମାଟି ଗସ୍ତରେ ବାହାରିଛନ୍ତି । ରାଷ୍ଟ୍ରପତିଙ୍କ ସହିତ ରାଜ୍ୟପାଳ ରଘୁବର ଦାସ, ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ, ଶିକ୍ଷା ଓ ସାଂସ୍କୃତି ମନ୍ତ୍ରୀ ମଧ୍ୟ ଆମ୍ଵେଦକରଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି ।