ଆଜି ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

1 min read

ମୟୁରଭଞ୍ଜ : ଆଜି ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ମାଟିର ଝିଅଙ୍କୁ ସ୍ବାଗତ କରିବାକୁ ମୟୂରଭଞ୍ଜରେ ହୋଇଛି ଜୋରଦାର ପ୍ରସ୍ତୁତି । ଦିଲ୍ଲୀସ୍ଥିତ ପାଲାମ ଏୟାରପୋର୍ଟରୁ ଉଡ଼ାଜାହାଜ ଯୋଗେ ପଶ୍ଚିମବଙ୍ଗର କୋଳେଇକୁଣ୍ଡା ଏୟାରବେସ୍ରେ ପହଞ୍ଚିବେ ମହାମହିମ । ପରେ ସେଠାରୁ ଏକ ସ୍ୱତନ୍ତ୍ର ହେଲିକପଟର ଯୋଗେ ବାରିପଦାର ରିଜର୍ଭ ପୁଲିସ ପଡ଼ିଆର ଅସ୍ଥାୟୀ ହେଲିପ୍ୟାଡ୍ରେ ଦିନ ୧୧ଟା ୨୫ରେ ଅବତରଣ କରିବେ । ସେଠାରୁ ବାହାରି ସହିଦ ସ୍ମୃତି ଭବନରେ ଅନୁଷ୍ଠିତ ୩୬ତମ ସର୍ବ ଭାରତୀୟ ସାନ୍ତାଳୀ ଲେଖକ ସମ୍ମିଳନୀ ଓ ସାହିତ୍ୟ ମହୋତ୍ସବ କାର୍ଯ୍ୟକ୍ରମରେ ଯୋଗଦେବେ । ପରେ କୁଳିଅଣା ବ୍ଲକରେ ଅବସ୍ଥିତ ଏକଲବ୍ୟ ଆବାସିକ ବିଦ୍ୟାଳୟର ଉଦ୍ଘାଟନ କରିବେ। ପରେ ସେଠାରୁ ବାହାରି ବାରିପଦା ସର୍କିଟ୍ ହାଉସରେ ମଧ୍ୟାହ୍ନଭୋଜନ କରି ସାମାନ୍ୟ ବିଶ୍ରାମ ପରେ ଅପରାହ୍ଣରେ ହେଲିକ୍ୟାପ୍ଟର ଯୋଗେ ରାଇରଙ୍ଗପୁର ଅଭିମୁଖେ ଗସ୍ତ କରିବେ। ରାଇରଙ୍ଗପୁର ଡାକବଙ୍ଗଳାରେ ସ୍ଥାନୀୟ ଲୋକଙ୍କ ସହ ଭାବବିନିମୟ କରିବାର କାର୍ଯ୍ୟକ୍ରମ ରହିଛି। ସେ ରାଇରଙ୍ଗପୁରସ୍ଥିତ ନିଜ ବାସଭବନରେ ବିଶ୍ରାମ ନେବେ। କାଲି ସକାଳ ୮ଟାରେ ବାସଭବନରୁ ବାହାରି ନିଜ ଶାଶୂଘର ପାହାଡ଼ପୁରରେ ପହଞ୍ଚି ଦକ୍ଷତା ବିକାଶ ତାଲିମ କେନ୍ଦ୍ରର ଉଦ୍ଘାଟନ କରିବେ। ପରେ ଏସଏଲଏସ ସ୍କୁଲ ପରିଦର୍ଶନ ସହ ସ୍ବାମୀ ଶ୍ୟାମଚରଣ ମୁର୍ମୁଙ୍କ ପ୍ରତିମୂର୍ତ୍ତିରେ ପୁଷମାଲ୍ୟ ଅର୍ପଣ କରିବେ।President Droupadi Murmu undergoes cataract surgery, Health News, ET  HealthWorld

ପରେ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ କରି ଅଞ୍ଚଳବାସୀଙ୍କ ସହ ଆଲୋଚନା କରିବେ। ସେଠାରୁ ବାଦାମପାହାଡ଼ ରେଳ ଷ୍ଟେସନ୍ରେ ପହଞ୍ଚି ନୂତନ ଭାବେ ଟାଟାନଗର-ବାଦାମପାହାଡ ମେମୁ ଟ୍ରେନ, ବାଦାମପାହାଡ-ରାଉରକେଲା ଏକ୍ସପ୍ରେସ ଓ ସାଲିମାର- ବାଦାମପାହାଡ଼ ଏକ୍ସପ୍ରେସ ଟ୍ରେନକୁ ପତାକା ଦେଖାଇ ଶୁଭାରମ୍ଭ କରିବେ। ଏଥିସହ ବାଦାମପାହାଡ଼ ଅମୃତ ରେଳଷ୍ଟେସନ୍ର ଶିଳାନ୍ୟାସ କରିବେ। ପରେ ରାଇରଙ୍ଗପୁର ଡାକ ଡିଭିଜନ୍ ଉଦ୍ଘାଟନ କରିବା ସହ ବିଭିନ୍ନ କାର୍ଯ୍ୟକ୍ରମରେ ଭିଡିଓ କନଫରେନ୍ସିଂ ଜରିଆରେ ଯୋଡ଼ି ହେବାର କାର୍ଯ୍ୟକ୍ରମ ରହିଛି। ବାଦାମପାହାଡ଼ରୁ ରାଇରଙ୍ଗପୁର ରେଳ ଷ୍ଟେସନକୁ ଟ୍ରେନ ଯୋଗେ ଯାତ୍ରା କରି ପହଞ୍ଚି ଦାଣ୍ଡବୋଷ ହେଲିପ୍ୟାଡରୁ ସମ୍ୱଲପୁର ଅଭିମୁଖେ ଯାତ୍ରା କରିବେ।