ଭୁବନେଶ୍ୱର ଜୁଡିସିଆଲ କମ୍ପ୍ଲେକ୍ସ ଉଦଘାଟନ କଲେ ମହାମହିମ ରାଷ୍ଟ୍ରପତି
ଭୁବନେଶ୍ବର: ଲୋକାର୍ପିତ ହେଲା ନ୍ୟାୟିକ ସୌଧ । ମିଳିଲା ଦେଶର ସର୍ବଶ୍ରେଷ୍ଠ ଜିଲ୍ଲା ଅଦାଲତ ମାନ୍ୟତା । ମାମଲାର ତ୍ୱରିତ ସମାଧାନ ଦିଗରେ ହେବ ସହାୟକ । ନବୀନଙ୍କ ଦୂରଦୃଷ୍ଟି ସମ୍ପର୍ଣ୍ଣ ପ୍ରୋଜେକ୍ଟର ସପଳ ରୂପାୟନ । ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଭୁବନେଶ୍ୱର ଜୁଡିସିଆଲ କମ୍ପ୍ଲେକ୍ସର କଲେ ଉଦଘାଟନ ।
ରଙ୍ଗ ବେରଙ୍ଗ ଆଲୋକ ମାଳାରେ ଝଲସି ଉଠୁଛି ନୂଆ ବିଲ୍ଡିଂ । ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ଏହି ବିଲ୍ଡିଂରେ ରହିଛି ୪ଟି କରିଡର । ବିଲ୍ଡିଂରେ ରହିଛି ୫୫ଟି କୋର୍ଟ ରୁମ । ରେକର୍ଡ ରୁମ, ଲାଇବ୍ରେରୀ, କନଫରେନ୍ସ ହଲ ସାଙ୍ଗକୁ ବ୍ୟାଙ୍କ, ପୋଷ୍ଟ ଅଫିସ, ନୋଟାରୀ ରୁମ ରହିବ । ଏହାସହ ବ୍ୟାଙ୍କ, ଡାକଘର, ଡିସ୍ପେନସାରୀ, ବେବିକ୍ରେଚ ଭଳି ସୁବିଧା ରହିବ । ବିଶେଷ କରି ୪୫୦ଟି କାର ଓ ୧ ହଜାର ବାଇକ ରଖିବା ପାଇଁ ବିରାଟ ବେସମେଣ୍ଟ ପାର୍କିଂର ବ୍ୟବସ୍ଥା ହୋଇଛି ।
ବିଲ୍ଡିଂ ନିର୍ମାଣ ଓ ସାଜସଜ୍ଜା ପାଇଁ ୨ ଶହ କୋଟିରୁ ଊର୍ଦ୍ଧ୍ବ ଟଙ୍କା ଖର୍ଚ୍ଚ ହୋଇଛି । ଏହାଦ୍ଵାରା ରାଜ୍ୟବାସୀ ବେଶ ଉପକୃତ ହେବେ । ମାମଲା ବୋଝ ହ୍ରାସ ପାଇଁ ଏହି ପ୍ରକଳ୍ପର ଶିଳାନ୍ୟାସ କରିଥିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେପଟେ ବିଲ୍ଡିଂରେ ସମୁଦାୟ ୯ଟି ଲିଫ୍ଟ ରହିଛି । ସାଧାରଣ ଲୋକଙ୍କ ପାଇଁ ବିଶ୍ରାମଗାର ସହ ବଡ଼ ବଡ଼ ଏଲଇଡି ସାହାଯ୍ୟରେ ସୂଚନା ଦିଆଯିବାର ବ୍ୟବସ୍ଥା ହୋଇଛି ।
କରୋନା ବେଳେ କୋର୍ଟ ବନ୍ଦ ରହିବା ଓ ଅନ୍ୟାନ୍ୟ କାରଣରୁ ବର୍ତ୍ତମାନ ସାରା ରାଜ୍ୟରେ ୧୫ ଲକ୍ଷରୁ ଊର୍ଦ୍ଧ୍ବ ମାମଲା ବିଚାର ଅପେକ୍ଷାରେ ପଡିରହିଛି । ଏଣୁ ନୂଆ ବିଲ୍ଡିଂ ହେବା ପରେ ଅତ୍ୟାଧୁନିକ ଜ୍ଞାନକୌଶଳ ଓ ନୂଆ ଆଇନ ମୁତାବକ ତ୍ୱରିତ ନ୍ୟାୟ ପ୍ରଦାନ କରାଯିବ ବୋଲି ଆଶା କରାଯାଉଛି ।