ପୁରୀ ବେଳାଭୂମିରେ ପ୍ରାତଃଭ୍ରମଣ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
1 min read
ପୁରୀ: ସ୍ବର୍ଣ୍ଣିମ ବେଳାଭୂମିର ମଜା ନେଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଆଜି ସକାଳୁ ରାଷ୍ଟ୍ରପତିଙ୍କୁ ପୁରୀ ବେଳାଭୂମିରେ ପ୍ରାତଃଭ୍ରମଣ କରୁଥିବା ଦେଖିବାକୁ ମିଳିଛି । ମହାମହିମ ରାଷ୍ଟ୍ରପତି ଏନେଇ ସୋସିଆଲ ମିଡିଆ ଏକ୍ସରେ ପୋଷ୍ଟ କରିଛନ୍ତି।
ସେ ବେଳାଭୂମିର ପବନ, ସମୁଦ୍ରର ଢେଉ ଓ ଜଳରାଶିକୁ ନେଇ ସୁନ୍ଦର ଭାବେ ବର୍ଣ୍ଣନା କରିଛନ୍ତି । ‘ପୃଥିବୀରେ ଏପରି ଅନେକ ସ୍ଥାନ ରହିଛି, ଯାହା ସଂସ୍ପର୍ଶରେ ଆସିଲେ ଆମେ ଜୀବନର ଅର୍ଥ ବୁଝିପାରୁ । ବଣ-ପାହାଡ଼, ନଦ-ନଦୀ ଓ ସାଗର-ବେଳାର ସମାହାର ଏହି ଯେଉଁ ପ୍ରକୃତି, ଆମେ ତା’ର ଅଂଶବିଶେଷ ବୋଲି ଆମର ହୃଦବୋଧ ହୁଏ । ଆଜି ବେଳାଭୂମିରେ ଚାଲୁଥିଲା ବେଳେ ମନ୍ଦ ମନ୍ଦ ପବନ ବହୁଥିଲା, ସମୁଦ୍ରର ଢେଉ ଗର୍ଜନ କରୁଥିଲା ଏବଂ ଜଳରାଶି ଦିଗବଳୟକୁ ଛୁଇଁଯାଉଥିଲା । ଏପରି ପରିବେଶରେ ମୁଁ ତଲ୍ଲୀନ ହୋଇଯାଇଥିଲି । ମୋର ମନେ ହେଲା, ମୁଁ ଯେମିତି ଧ୍ୟାମମଗ୍ନ ହୋଇଯାଇଛି’ ।
ଗତକାଲି ପୁରୀ ଆସି ରଥାରୂଢ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରିଥିଲେ ରାଷ୍ଟ୍ରପତି । ମହାପ୍ରଭୁଙ୍କ ଦର୍ଶନ କରି ରାଷ୍ଟ୍ରପତି କହିଛନ୍ତି ‘ମୁଁ ଯେଉଁ ପ୍ରଶାନ୍ତି ଲାଭ କରିଥିଲି, ଏହି ପରିବେଶରେ ମଧ୍ୟ ମୋର ଅନୁରୂପ ଅନୁଭୂତି ହେଲା । ମୋର ଯେ କେବଳ ଏପରି ଅନୁଭୂତି ଅଛି ତା’ ନୁହେଁ । ନିଜ ଠାରୁ କାହିଁ କେତେ ଗୁଣ ବିଶାଳ ଏକ ସତ୍ତା ସଂସ୍ପର୍ଶରେ ଆସିଲେ ହିଁ ଆମ ଭିତରେ ଏପରି ଏକ ଭାବ ସୃଷ୍ଚି ହୁଏ । ଏହି ସତ୍ତା ଆମକୁ ଧରିରଖେ ଏବଂ ଆମ ଜୀବନକୁ ଅର୍ଥପୂର୍ଣ୍ଣ କରେ ’।
ଦୈନନ୍ଦିନ ଜୀବନର ଧାଁ ଦଉଡ଼ ଭିତରେ ମଣିଷ, ପ୍ରକୃତି ମାଆ ଠାରୁ ଦୂରେଇ ଯାଉଛି ଏବଂ ପ୍ରକୃତିକୁ ନିୟନ୍ତ୍ରଣ କରିପାରିଛି ବୋଲି ବାହାସ୍ଫୋଟ ମାରୁଛି ତଥା ନିଜର ସାମୟିକ ସୁଖ ପାଇଁ ପ୍ରକୃତିକୁ ଶୋଷଣ କରିଚାଲିଛି । ଏହାର କୁପରିଣତି ଆମେ ସମସ୍ତେ ଭୋଗୁଛନ୍ତି । ଚଳିତ ଗ୍ରୀଷ୍ମ ଋତୁରେ ଭାରତର ଅନେକ ସ୍ଥାନରେ ଭୟଙ୍କର ଗ୍ରୀଷ୍ମ ପ୍ରବାହ ଅନୁଭୂତ ହୋଇଥିଲା । ବିଗତ କିଛି ବର୍ଷ ହେଲା, ସମଗ୍ର ପୃଥିବୀରେ ପାଣିପାଗ ଜନିତ ଘଟଣାସବୁ ଚରମ ସ୍ତରରେ ପହଞ୍ଚିଛି ଏବଂ ଏସବୁ ଘଟଣା ଏବେ ଅଧିକରୁ ଅଧିକ ଘଟିବାରେ ଲାଗିଛି । ଏପରିକି, ଆଗାମୀ ଦଶନ୍ଧିଗୁଡ଼ିକରେ ଏହି ସ୍ଥିତି ଆହୁରି ଭୟଙ୍କର ହେବ ବୋଲି ଏବେଠୁ ଅନୁମାନ କରାଗଲାଣି ବୋଲି ରାଷ୍ଟ୍ରପତି ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି।