ଗଣେଶ ପୂଜା ମଣ୍ଡପରେ ରାଷ୍ଟ୍ରପତି ଏବଂ ମୁଖ୍ୟମନ୍ତ୍ରୀଙ୍କ ତୋରଣ

ବ୍ରହ୍ମପୁର: ଗଣେଶ ପୂଜା ପାଇଁ ଦୁଲୁକୁଛି ବ୍ରହ୍ମପୁର ସହର । ଖାସ କରି ଅଶୋକନଗର ପୂଜା ପେଣ୍ଡାଲ ଦେଖିବାକୁ ଲାଗୁଛି ଲୋକଙ୍କ ଭିଡ଼ । କାରଣ ଏଠାରେ ବିଘ୍ନ ବିନାଶକଙ୍କ ପୂଜା ଚାଲିଥିବା ବେଳେ ମଣ୍ଡପରେ ଶୋଭା ପାଉଛି ମହାମହିମ ରାଷ୍ଟ୍ରପତି ଦୌପଦୀ ମୁର୍ମୁ ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ତୋରଣ ।

ପୂଜା କମିଟି ପକ୍ଷରୁ ମହାମହିମ ଏବଂ ମୁଖ୍ୟମନ୍ତ୍ରୀଙ୍କ ବିଭିନ୍ନ ସମୟକୁ ତୋରଣ ମାଧ୍ୟମରେ ପ୍ରଦର୍ଶନ କରାଯାଇଛି । ରାଷ୍ଟ୍ରପତି ହେବା ପୂର୍ବରୁ ଦ୍ରୌପଦୀ ମୁର୍ମୁ ନବୀନ ପଟ୍ଟନାୟକଙ୍କୁ ରାକ୍ଷୀ ବାନ୍ଧିବାଠାରୁ ରାଷ୍ଟ୍ରପତି ହେବା ପର୍ଯ୍ୟନ୍ତ ସମୟକୁ ନିଖୁଣ ଭାବେ ପ୍ରଦର୍ଶିତ କରାଯାଇଛି । ଯାହାକୁ ଦେଖିବା ପାଇଁ ସହରବାସୀଙ୍କ ମଧ୍ୟରେ ବେଶ ଆଗ୍ରହ ଦେଖିବାକୁ ମିଳୁଛି । ପ୍ରତ୍ୟେକ ସନ୍ଧ୍ୟାରେ ଶହ ଶହ ଶ୍ରଦ୍ଧାଳୁ ଗଣପତିଙ୍କ ଦର୍ଶନ ସହିତ ମଣ୍ଡପ ବୁଲି ଦେଖୁଛନ୍ତି ।

ଓଡ଼ିଶା ହେଉଛି ସଂସ୍କୃତି, ବିକାଶ ଓ ଭାଇଚାରାର ମାଟି । ଦିନ ଥିଲା ନବୀନଙ୍କୁ ଦ୍ରୌପଦୀ ରାକ୍ଷୀ ବାନ୍ଧୁଥିଲେ । ଗତ ରାଷ୍ଟ୍ରପତି ନିର୍ବାଚନ ବେଳେ ଭଉଣୀଙ୍କ ପ୍ରତି ଭାଇ ସାହାଯ୍ୟର ହାତ ବଢ଼ାଇଥିଲେ । ତାହାର ଝଲକ ମଣ୍ଡପରେ ଦେଖିବାକୁ ମିଳୁଛି ।