ଚଳିତ ବର୍ଷ ସର୍ବସାଧାରଣଙ୍କ ପାଇଁ ଦୁଇଥର ଖୋଲିବ ରାଷ୍ଟ୍ରପତି ଭବନର ଅମୃତ ଉଦ୍ୟାନ

ନୂଆଦିଲ୍ଲୀ: ଆଜିଠୁ ସର୍ବସାଧାରଣଙ୍କ ପାଇଁ ଖୋଲିବ ରାଷ୍ଟ୍ରପତି ଭବନର ଅମୃତ ଉଦ୍ୟାନ । ସୋମବାର ବ୍ୟତୀତ ସେପ୍ଟେମ୍ବର ୧୭ ତାରିଖ ଯାଏଁ ଉଦ୍ୟାନ ଲୋକଙ୍କ ପାଇଁ ଖୋଲାରହିବ । ସେପ୍ଟେମ୍ବର ୫ ତାରିଖ ଗୁରୁ ଦିବସ ଅବସରରେ କେବଳ ଶିକ୍ଷକମାନଙ୍କ ପାଇଁ ଏହାକୁ ଖୋଲା ରଖିବାକୁ ନିଷ୍ପତ୍ତି ନିଆଯାଇଛି । ଚଳିତ ବର୍ଷରୁ ପ୍ରଥମ ଥର ପାଇଁ ରାଷ୍ଟ୍ରପତି ଭବନର ଅମୃତ ଉଦ୍ୟାନକୁ ସର୍ବସାଧାରଣଙ୍କ ପାଇଁ ବର୍ଷକୁ ଦୁଇଥର ଖୋଲାଯାଉଛି।

ଏଥିପାଇଁ ଅଗଷ୍ଟ ୭ରୁ ଅନଲାଇନ ବୁକିଂ ଆରମ୍ଭ ହୋଇଛି । ପର୍ଯ୍ୟଟକମାନେ ସକାଳ ୧୦ ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଅମୃତ ଉଦ୍ୟାନ ପରିଦର୍ଶନ କରିପାରିବେ । ମୋଗଲ ଗାର୍ଡେନରୁ ଅମୃତ ଉଦ୍ୟାନକୁ ପରିବର୍ତ୍ତିତ ହୋଇଥିବା ଏହି ଉଦ୍ୟାନରେ ୧୨ ପ୍ରକାରର ୧୦ ହଜାରୁ ଅଧିକ ଟ୍ୟୁଲିପ ଫୁଲ ରହିଛି ।

୧୩୮ରୁ ଅଧିକ ପ୍ରକାରର ଗୋଲାପ, ୭୦ରୁ ଅଧିକ ଅଲଗା ଅଲଗା ପ୍ରଜାତିର ବିଭିନ୍ନ ଫୁଲ ରହିଛି । ଉଦ୍ୟାନକୁ ଦେଶର ପ୍ରଥମ ରାଷ୍ଟ୍ରପତି ଡ. ରାଜେନ୍ଦ୍ର ପ୍ରସାଦ ସାଧାରଣ ଲୋକଙ୍କ ପାଇଁ ଖୋଲିଥିଲେ । ରାଷ୍ଟ୍ରପତି ଭବନକୁ ନିମନ୍ତ୍ରିତ ଅତିଥି ଏବଂ ପର୍ଯ୍ୟଟକଙ୍କ ପାଇଁ ଆକର୍ଷଣର କେନ୍ଦ୍ର ବିନ୍ଦୁ ସାଜିଥାଏ ଏହି ଅମୃତ ଉଦ୍ୟାନ ।