ପ୍ରସ୍ତୁତ ରୁହନ୍ତୁ ଆତଙ୍କିତ ହୁଅନ୍ତୁ ନାହିଁ : ମୋଦି

କରୋନା ମୁକାବିଲା ପାଇଁ ଏକାଠି ହେଲେ ସାର୍କ ଦେଶ । ଏକାଠି ହୋଇ କରୋନା ସହ ଲଢେଇ କରିବାକୁ ସମସ୍ତେ ପ୍ରସ୍ତୁତ । ନେପାଳ, ବାଂଲାଦେଶ, ମାଳଦ୍ୱୀପ, ଶ୍ରୀଲଙ୍କା, ଆଫଗାନିସ୍ତାନ, ଭୂଟ୍ଟାନ, ପାକିସ୍ତାନର ପ୍ରମୁଖଙ୍କ ସହ ଭିଡିଓ କନଫରେନ୍ସିଂ ମାଧ୍ୟମରେ କଥା ହୋଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ସାର୍କ ଦେଶ ମଧ୍ୟରୁ ଭାରତରେ ସବୁଠାରୁ ଅଧିକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ତା ତଳକୁ ପାକିସ୍ତାନରେ କରୋନାକୁ ନେଇ ଅଧିକ ହଇଚଇ ହେଉଛି । ଏଭଳି ଆପାତ୍‌ କାଳରେ ସାର୍କଦେଶ ସମୂହ ପରସ୍ପରକୁ ସାହାଯ୍ୟ କରିବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି ।

କରୋନା ମୁକାବିଲା ପାଇଁ ଏକ ସ୍ୱତନ୍ତ୍ର ଫଣ୍ଡ ଗଠନ କରାଯିବ । ଏଥିରେ ଭାରତ ପକ୍ଷରୁ ୭୪ କୋଟି ଟଙ୍କା ଦେବାକୁ ମୋଦୀ ଘୋଷଣା କରିଛନ୍ତି । ଡାକ୍ତରମାନଙ୍କୁ ମଧ୍ୟ ସ୍ୱତନ୍ତ୍ର ତାଲିମ ଦେବାକୁ ପ୍ରସ୍ତାବ ରଖିଛନ୍ତି ମୋଦି । ବୈଠକ ଆରମ୍ଭରୁ ପ୍ରଥମେ ମୋଦୀ ଅନ୍ୟ ଦେଶର ରାଷ୍ଟ୍ର ପ୍ରମୁଖଙ୍କ ସହ ଜଣ ଜଣ କରି କଥା ହୋଇଥିଲେ । କରୋନା ପ୍ରଭାବକୁ କମାଇବା ପାଇଁ କେଉଁ କେଉଁ ପଦକ୍ଷେପ ନେବା ଜରୁରୀ ସେଥିପାଇଁ ଆଲୋଚନା କରିଥିଲେ । ନେପାଳ, ପାକିସ୍ତାନ, ଭୁଟ୍ଟାନ ନିଜ ଦେଶର ସୀମାକୁ ସିଲ କରିବା ପାଇଁ ନିଷ୍ପତି ନେଇଛନ୍ତି । ଅନ୍ୟପଟେ ସୀମା ବନ୍ଦ ହେଲେ ଅନେକ ସମସ୍ୟା ସୃଷ୍ଟି ହେବା ପ୍ରସଙ୍ଗ ଉଠାଇଥିଲେ ବାଂଲାଦେଶ ପ୍ରଧାନମନ୍ତ୍ରୀ । ଇଟାଲୀ, ଇରାନ, ଚୀନରୁ ବାଂଲାଦେଶ ନାଗରିକଙ୍କୁ ଭାରତ ଉଦ୍ଧାର କରିଥିବାରୁ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇଥିଲେ ବାଂଲା ପ୍ରଧାନମନ୍ତ୍ରୀ । ବର୍ତ୍ତମାନ ସମୟରେ ସବୁ ବିବାଦ ଭୁଲି ଏକାଠି ହେବା ଆବଶ୍ୟକ ବୋଲି ମୋଦୀ ପରାମର୍ଶ ଦେଇଥିଲେ । ପାକିସ୍ତାନ ମଧ୍ୟ ମୋଦୀଙ୍କ ବିଭିନ୍ନ ପ୍ରସ୍ତାବରେ ହଁ ମାରିଛି । ଭାଇରସ ମୁକାବିଲା ପାଇଁ ଆବଶ୍ୟକ ପଡ଼ିଲେ ମେଡିସିନ, ଟେକ୍ନୋଲୋଜି, ଅତ୍ୟାବଶ୍ୟକ ଦ୍ରବ୍ୟ ପଠାଇବା ପାଇଁ ବୈଠକରେ ସ୍ଥିର ହୋଇଛି । ପାଖାପାଖି ୨ ଘଣ୍ଟା ଧରି ଭିଡିଓ କନଫରେନ୍ସିଂ ମାଧ୍ୟମରେ ସାର୍କ ଦେଶସମୂହର ପ୍ରଧାନମନ୍ତ୍ରୀ ଆଲୋଚନା କରିଥିଲେ ।

Leave a Reply