ମୋଦି ସରକାରର ୧୧ ବର୍ଷ, ମୋହନ ସରକାରର ଏକ ବର୍ଷ ପାଳନ ପାଇଁ ବିଜେପିର ପ୍ରସ୍ତୁତି

ନନ୍ଦିଘୋଷ ବ୍ୟୁରୋ: କେନ୍ଦ୍ରରେ ମୋଦି ସରକାରକୁ ୧୧ ବର୍ଷ ଓ ରାଜ୍ୟରେ ମୋହନ ସରକାରକୁ ବର୍ଷେ ପୂରୁଛି । ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଉପଲବ୍ଧିକୁ ଲୋକଙ୍କ ପାଖକୁ ନେବାକୁ ଖସଡ଼ା ପ୍ରସ୍ତୁତ କରିଛି ବିଜେପି । ରାଜ୍ୟର ବିଭିନ୍ନ ସ୍ଥାନରେ ଭିନ୍ନ ଭିନ୍ନ ସମାବେଶ କରିବ ବିଜେପି ।  ଜୁନ୍ ୯ରୁ ଜୁନ୍ ୧୯ ଯାଏଁ ଚାଲିବ ବିଭିନ୍ନ କାର୍ଯ୍ୟକ୍ରମ । ଜୁନ୍ ୨୦ରେ ଭୁବନେଶ୍ବର ଜନତା ମଇଦାନରେ ହେବାକୁ ଥିବା ସମାବେଶରେ ଯୋଗଦେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏସବୁ କାର୍ଯ୍ୟକ୍ରମକୁ ସଫଳ କରିବାକୁ ରାଜ୍ୟ ବିଜେପି କାର୍ଯ୍ୟାଳୟରେ ବସିଛି ପ୍ରସ୍ତୁତି ବୈଠକ ।

ବର୍ଷ ଏକ, ଉପଲବ୍ଧି ଅନେକ । ରାଜ୍ୟରେ ପ୍ରଥମ ଥର ପାଇଁ ଆସିଥିବା ବିଜେପି ସରକାର ପାଳିବ ବର୍ଷ ପୂର୍ତ୍ତି । ବର୍ଷକରେ ବିଭିନ୍ନ କ୍ଷେତ୍ରରେ ସରକାର ନେଇଥିବା ପଦକ୍ଷେପ ବିଷୟରେ ଲୋକଙ୍କୁ ଜଣାଯିବ । ଏହାସହ କେନ୍ଦ୍ରରେ ମୋଦୀ ସରକାରର ୧୧ ବର୍ଷ ପୂର୍ତ୍ତିକୁ ମଧ୍ୟ ବିଜେପି ଧୂମଧାମରେ ପାଳନ କରିବାକୁ ଯୋଜନା କରିଛି । ସରକାରଙ୍କ ସଫଳତା ଲୋକଙ୍କ ପାଖରେ ପହଞ୍ଚାଇବାକୁ ଜିଲ୍ଲା ମୁଖ୍ୟାଳୟ ଓ ପ୍ରମୁଖ ସହରରେ କେନ୍ଦ୍ରୀୟ ନେତା ସାମ୍ବାଦିକ ସମ୍ମିଳନୀ କରିବେ । କଟକରେ ମହିଳା ସମାବେଶ, ବାରିପଦାରେ ଯୁବ ସମାବେଶ, ବଲାଙ୍ଗୀରରେ ଚାଷୀ ସମାବେଶ, ଢେଙ୍କାନାଳରେ ଓବିସି ସମାବେଶ କରିବ ବିଜେପି । ଏଥିପାଇଁ ରାଜ୍ୟ କାର୍ଯ୍ୟାଳୟରେ ପ୍ରସ୍ତୁତି ବୈଠକ ହୋଇଛି । ବିଧାୟକଙ୍କ ସହ ରାଜ୍ୟ ସଭାପତି ମନମୋହନ ସାମଲ କାର୍ଯ୍ୟକ୍ରମ ସଫଳ କରିବାକୁ ବିସ୍ତୃତ ଭାବେ ଆଲୋଚନା କରିଛନ୍ତି ।

ଜୁନ୍ ୯ରୁ ଜୁନ୍ ୧୯ ଯାଏଁ ରାଜ୍ୟବ୍ୟାପୀ ବର୍ଷପୂର୍ତ୍ତି କାର୍ଯ୍ୟକ୍ରମ ହେବ । ଏହା ପୂର୍ବରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦଳୀୟ ବିଧାୟକ ଓ ସାଂସଦଙ୍କ ସହ ଆଲୋଚନା କରିଛନ୍ତି । ସରକାରଙ୍କ ତରଫରୁ ବିଭାଗଓ୍ବାରୀ ସମୀକ୍ଷା କରାଯାଇ ସଫଳତାର ତାଲିକା ରଖାଯାଉଛି । ନିର୍ବାଚନ ବେଳେ ଦଳ ପକ୍ଷରୁ ୨୨ଟି ସଂକଳ୍ପ ନିଆଯାଇଥିଲା। ଏଥିରୁ ୧୦ଟିରେ କାମ ଆରମ୍ଭ ହୋଇଥିବା ବେଳେ ବାକି ୧୧ଟି ଉପରେ ପଦକ୍ଷେପ ନିଆଯିବ ବୋଲି ବିଜେପି ନେତାମାନେ କହିଛନ୍ତି । ଜୁନ୍ ୨୦ ତାରିଖରେ ବର୍ଷପୂର୍ତ୍ତିର ଉଦଯାପନୀ ଉତ୍ସବ ଭୁବନେଶ୍ବରର ଜନତା ମଇଦାନରେ କରାଯିବ । ଯେଉଁଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ଅନେକ କେନ୍ଦ୍ରମନ୍ତ୍ରୀ ଯୋଗଦେବାର କାର୍ଯ୍ୟକ୍ରମ ରହିଛି ।

ରାଜ୍ୟ ସରକାରକୁ ବର୍ଷେ ପୂରୁଥିବା ବେଳେ ଏବେ ବି ଚିଟଫଣ୍ଡ କ୍ଷତିଗ୍ରସ୍ତଙ୍କୁ ଅର୍ଥ ଫେରସ୍ତ, ପୋଲାଭରମ ଓ ମହାନଦୀ ବିବାଦ, ସୀମା ବିବାଦ ଭଳି ଲୋକଙ୍କ ପ୍ରସଙ୍ଗ ଉପରେ କୌଣସି ପଦକ୍ଷେପ ନିଆଯାଇନାହିଁ । ବର୍ଷକର ସଫଳତା ସହ ଆଗାମୀ ୪ ବର୍ଷ ଯୋଜନା ବାବଦରେ ଦଳ ରାଜ୍ୟବାସୀଙ୍କ ପାଖରେ ହିସାବ ଦେବାକୁ ପ୍ରସ୍ତୁତ ହେଉଛି ।