ରଥଯାତ୍ରା ପାଇଁ ଚାଲିଛି ଜୋରସୋର ପ୍ରସ୍ତୁତି, ସରିଲାଣି ୩୧ ଚକ ନିର୍ମାଣ

ପୁରୀ: ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ଜୋରସୋରରେ ଚାଲିଛି ପ୍ରସ୍ତୁତି । ଆଗେଇ ଚାଲିଛି ରଥ ନିର୍ମାଣ । ଏପର୍ଯ୍ୟନ୍ତ ତିନି ରଥର ୪୨ଟି ଚକ ମଧ୍ୟରୁ ୩୧ଟିର ନିର୍ମାଣ ଶେଷ ହୋଇଛି । ପ୍ରତି ରଥର ତିନୋଟି ଲେଖାଏ ଭୂଇଁରେ ୧୨ଟି ଚଉତା କାଠ ରହିଥାଏ । ପ୍ରତି ରଥ ପାଇଁ ଆବଶ୍ୟକ ୪ଟି ଲେଖାଏ ମୁହାଁଟି ଓ ନିରାଡ଼ି କାର୍ଯ୍ୟ ଶେଷ ହୋଇଛି । ପହିରେ ବିନ୍ଧ ସରିବା ପରେ ଏବେ ଏଥିରେ ବିଲେଇବାଡ଼ିଆ ପଦ୍ଧତିରେ ସିଙ୍ଗଡ଼ା ଲାଗି ହେଉଛି । ରୂପକାର ସେବକମାନେ କଣ ଗୁଜରେ ନୃସିଂହ ମୂର୍ତ୍ତି ଖୋଦେଇ କରୁଥିବା ବେଳେ ଦୋଳବେଦିରେ ଘଡ଼ି ମୁହଁ ଦଣ୍ଡା କଣ୍ଟା ନିର୍ମାଣରେ ଲାଗିଛନ୍ତି ଓଝା ସେବକମାନେ । ସମସ୍ତ ଚକ ଓ ଅଖ ସଂଯୁକ୍ତ ହେଲେ ରଥର ମୂଳଦୁଆ ପଡ଼ିବ । ଶୀତଳଷଷ୍ଠୀ ସୁଦ୍ଧା ସମସ୍ତ ଚକ କାମ ସାରିବାକୁ ଲକ୍ଷ୍ୟ ରହିଛି ।

ସେପଟେ ଛତିଶା ନିଯୋଗ ବୈଠକରେ ରଥଯାତ୍ରା ସମ୍ପର୍କରେ ହୋଇଛି ବିସ୍ତୃତ ଆଲୋଚନା । ଭକ୍ତମାନେ ସ୍ନାନ ମଣ୍ଡପ ଉପରେ ଜଳଲାଗି ଓ ହାତୀବେଶ ଦର୍ଶନ ପାଇଁ ସୁଯୋଗ ପାଇବେ । ତେବେ କେହି ବିଗ୍ରହଙ୍କୁ ସ୍ପର୍ଶ କରିପାରିବେ ନାହିଁ । ସ୍ନାନ ପୂର୍ଣ୍ଣିମାଠାରୁ ନିଳାଦ୍ରୀ ବିଜେ ପର୍ଯ୍ୟନ୍ତ ନୀତି ସମ୍ପର୍କରେ ନୀତି ସବକମିଟି ବୈଠକରେ ଆଲୋଚନା ପରେ ଏହାକୁ ଛତିଶା ନିଯୋଗ ବୈଠକରେ ଅନୁମୋଦନ କରାଯାଇଛି । ପ୍ରଭୁଙ୍କ ଜଳଲାଗିକୁ ଶୃଙ୍ଖଳିତ କରିବା ଓ ହାତୀବେଶ ଓଲାଗି ସମୟରେ ଶୃଙ୍ଖଳା ରକ୍ଷା କରିବା ପାଇଁ ସମ୍ପୃକ୍ତ ସେବାୟତମାନଙ୍କୁ ପରାମର୍ଶ ଦିଆଯାଇଛି ।