ପ୍ରସ୍ତୁତି ଆରମ୍ଭ: ଏପ୍ରିଲରେ ପୌର ନିର୍ବାଚନ !

ଭୁବନେଶ୍ବର: ପଞ୍ଚାୟତ ନିର୍ବାଚନ ପରେ ରାଜ୍ୟରେ ହେବ ପୌର ନିର୍ବାଚନ । ସଙ୍କେତ ଦେଲେ ରାଜ୍ୟ ସରକାର । ଚିଠା ସଂରକ୍ଷଣ ତାଲିକା ପ୍ରକାଶ ପରେ ଜନସାଧାରଣଙ୍କୁ ଆପତ୍ତି ଅଭିଯୋଗ ମଗାଯାଇଛି । ନଭେମ୍ବର ୨୯ ସୁଦ୍ଧା ଜିଲ୍ଲାପାଳମାନେ ଚୂଡ଼ାନ୍ତ ବିଜ୍ଞପ୍ତି ଜାରି ପରିବେ । କିଛି ଆପତ୍ତି ଥିଲେ ଜନସାଧାରଣ ଡିସେମ୍ବର ୧୨ ତାରିଖ ମଧ୍ୟରେ ନଗର ଉନ୍ନୟନ ବିଭାଗରେ ଆବେଦନ କରିପାରିବେ । ଜାନୁଆରୀ ୨୦ରେ ନଗର ଉନ୍ନୟନ ବିଭାଗ ଚୂଡ଼ାନ୍ତ ତାଲିକା ଜାରି କରିବ । ଯଦି ସବୁକିଛି ଠିକ ରହିଲା ତେବେ ଏପ୍ରିଲ ମାସ ବେଳକୁ ନିର୍ବାଚନ କମିଶନ ପୌର ଭୋଟ୍ କରିପାରନ୍ତି । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ୫୦ ପ୍ରତିଶତ ଭିତରେ ସଂରକ୍ଷଣ ରହିବ ।

ସୂଚନାଯୋଗ୍ୟ, ଜିଲ୍ଲାପାଳମାନେ ୱାର୍ଡ ସୀମା ନିର୍ଦ୍ଧାରଣ ସହ ଚିଠା ସଂରକ୍ଷଣ ତାଲିକା ଜାରି କରିଛନ୍ତି । ରାଜ୍ୟର ଅର୍ଦ୍ଧାଧିକ ଜିଲ୍ଲାରେ ବିଜ୍ଞପ୍ତି ପ୍ରକାଶ ହୋଇଥିବା ବେଳେ କିଛି ଜିଲ୍ଲାରେ ତାଲିକା ଜାରି ହେବ । ୨୦୧୧ ଜନଗଣନାକୁ ଆଖିରେ ରଖି ଓଡ଼ିଶା ମ୍ୟୁନିସପାଲଟି ଆଇନ ଆଧାରରେ ୱାର୍ଡ ସୀମା ପୁନଃନିର୍ଦ୍ଧାରଣ ହୋଇଛି ।

ରାଜ୍ୟର ପୌରସଂସ୍ଥା ଓ ବିଜ୍ଞାପିତ ଅଞ୍ଚଳ ପରିଷଦର କାର୍ଯ୍ୟକାଳ ଦୀର୍ଘଦିନ ହେବ ପୂରିଲାଣି । ରାଜ୍ୟ ନିର୍ବାଚନ କମିଶନ ନିର୍ବାଚନ କରିବାକୁ ଇଚ୍ଛା ପ୍ରକାଶ କରିଛନ୍ତି । ନଗର ଉନ୍ନୟନ ବିଭାଗର ନିର୍ଦ୍ଦେଶ କ୍ରମେ ଜିଲ୍ଲାପାଳମାନେ ୱାର୍ଡ ପୁନର୍ଗଠନ ସହ ପଦବୀ ସଂରକ୍ଷଣ ତାଲିକା ପ୍ରସ୍ତୁତ କରିଛନ୍ତି । ସଂଶୋଧିତ ପୌର ଆଇନ ଅନୁସାରେ ଅନୁସୂଚିତ ଜାତି, ଜନଜାତି, ମହିଳା ଓ ପଛୁଆବର୍ଗଙ୍କ ପାଇଁ ଆସନ ସଂରକ୍ଷଣ ରହିଛି ।

ସୂଚନାଯୋଗ୍ୟ, ରାଜ୍ୟରେ ୧୧୫ଟି ପୌରସଂସ୍ଥା ଅଛି । ଏଥିରୁ ୪୭ ମ୍ୟୁନିସପାଲଟି ଓ ୫୮ ଏନଏସିରେ ଭୋଟ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି । ସମ୍ବଲପୁର ଓ ରାଉରକେଲା ମହାନଗର ନିଗମ ସହ କେନ୍ଦ୍ରପଡ଼ା ପୌରପାଳିକା, ନୂଆପଡା, ଓଡ଼ଗାଁ ଏନଏସିକୁ ନେଇ କୋର୍ଟରେ ମାମଲା ଥିବାରୁ ଏଗୁଡ଼ିକୁ ପ୍ରକ୍ରିୟାରୁ ବାଦ୍ ଦିଆଯାଇଛି । ହିନ୍ଦୋଳ ଓ ଅତାବିରା ଏନଏସିରେ ନିର୍ବାଚିତ ପରିଷଦର କାର୍ଯ୍ୟକାଳ ପୂରିନାହିଁ । ଭୁବନେଶ୍ୱର, କଟକ ଓ ବ୍ରହ୍ମପୁର ମହାନଗର ନିଗମ କମିଶନରମାନେ ଆସନ୍ତା ୧୫ ସୁଦ୍ଧା ସୀମା ନିର୍ଦ୍ଧାରଣ ଓ ସଂରକ୍ଷଣ ଚିଠା ତାଲିକା ନଗର ଉନ୍ନୟନ ବିଭାଗକୁ ଦେବେ ।

Leave a Reply