୨୦୨୪ ନିର୍ବାଚନ ଲାଗି ନିର୍ବାଚନ କମିଶନଙ୍କ ପ୍ରସ୍ତୁତି, ପର୍ଯ୍ୟାୟ ଭିତ୍ତିରେ ଇଭିଏମ ଓ ପେପରଟ୍ରେଲ ମେସିନ ଯାଞ୍ଚ

ନୂଆଦିଲ୍ଲୀ: ୨୦୨୪ ଲୋକସଭା ନିର୍ବାଚନ ଏବଂ ଚଳିତ ବର୍ଷ ଶେଷ ବେଳକୁ ୫ଟି ରାଜ୍ୟରେ ନିର୍ବାଚନ ହେବାକୁ ଯାଉଛି । ମେଗା ନିର୍ବାଚନକୁ ଦୃଷ୍ଟିରେ ରଖି ନିର୍ବାଚନ କମିଶନ ପକ୍ଷରୁ ଆରମ୍ଭ ହୋଇଛି ପ୍ରସ୍ତୁତି । ପର୍ଯ୍ୟାୟ ଭିତ୍ତିରେ ଇଭିଏମ ଓ ପେପର ଟ୍ରେଲ ମେସିନଗୁଡ଼ିକର ଯାଞ୍ଚ କରୁଛି କମିଶନ । ଫାଷ୍ଟ ଲେବଲ ଚେକ୍ ବା ଏଫଏଲସି ପ୍ରକ୍ରିୟାରେ ମକ୍ ପୋଲ୍ ପ୍ରକ୍ରିୟା ବି ଚାଲିଥିବା ସୂଚନା ମିଳିଛି । କେରଳର ସମସ୍ତ ନିର୍ବାଚନ ମଣ୍ଡଳୀରେ ଏହି ପ୍ରକ୍ରିୟା ଯାଞ୍ଚ ଚାଲିଛି ବୋଲି କମିଶନ ପକ୍ଷରୁ କୁହାଯାଇଛି । ପ୍ରତି ରାଜ୍ୟର ମୁଖ୍ୟ ନିର୍ବାଚନ ଅଧିକାରୀମାନଙ୍କୁ ନିର୍ଦ୍ଧାରିତ ସୂଚନା ପ୍ରଦାନ କରାଯାଉଛି । ଚଳିତ ବର୍ଷ ଶେଷ ବେଳକୁ ରାଜସ୍ଥାନ, ମିଜୋରାମ, ଛତିଶଗଡ଼, ତେଲଙ୍ଗାନା ଓ ମଧ୍ୟପ୍ରଦେଶରେ ନିର୍ବାଚନ ହେବାକୁ ଯାଉଛି ।

ବର୍ତ୍ତମାନ କେରଳର ଓ୍ବାୟନାଡ, ମହାରାଷ୍ଟ୍ରର ପୁଣେ ଓ ଚନ୍ଦ୍ରପୁର, ଉତ୍ତରପ୍ରଦେଶର ଗାଜିପୁର ଓ ହରିଆଣାର ଅମ୍ବାଲା ଲୋକସଭା ଆସନ ଖାଲି ପଡିଛି । କିଛି ଜାତୀୟ ଗଣମାଧ୍ୟମର ସର୍ଭେ ଅନୁସାରେ ରାଜସ୍ଥାନ ଓ ଛତିଶଗଡ଼ରେ କଂଗ୍ରସ ପୁଣି ସରକାର ଗଢିବ । ତେବେ ମଧ୍ୟପ୍ରଦେଶରେ ବିଜେପିର ଅନ୍ତଃକନ୍ଦଳ କଂଗ୍ରେସକୁ ସୁହାଇବ ବୋଲି କୁହାଯାଇଛି ।