ପାଖେଇ ଆସିଲାଣି ଶୀତଳ ଷଷ୍ଠୀ, ସମ୍ବଲପୁରରେ ଶୃଙ୍ଖଳିତ ଯାତ୍ରା ପାଇଁ ଜିଲ୍ଲା ପ୍ରଶାସନର ପ୍ରସ୍ତୁତି

ସମ୍ବଲପୁର: ଆଉ ଦିନ କେଇଟା ପରେ ବିଶ୍ବପ୍ରସିଦ୍ଧ ଶୀତଳଷଷ୍ଠୀ । ଦୁଲୁକିବ ସମ୍ବଲପୁର । ଯାତ୍ରାକୁ ସୁରୁଖୁରୁରେ ସମାପନ ପାଇଁ ଅଣ୍ଟା ଭିଡ଼ିଛି ଜିଲ୍ଲା ପ୍ରଶାସନ । ସିସିଟିଭି ନଜରରେ ରହିବ ପୂରା ସହର । ଡ୍ରୋନ୍ କ୍ୟାମେରା ମାଧ୍ୟମରେ ହେବ ସୁରକ୍ଷା ବ୍ୟବସ୍ଥା ଯାଞ୍ଚ । ଭାରପ୍ରାପ୍ତ ଜିଲ୍ଲାପାଳ ଉମାକାନ୍ତ ରାଜଙ୍କ ଅଧ୍ୟକ୍ଷତାରେ ସମ୍ବଲପୁର ଏସପି ଓ ବିଭିନ୍ନ ଶୀତଳଷଷ୍ଠୀ ଯାତ୍ରା କମିଟିକୁ ନେଇ ସ୍ବତନ୍ତ୍ର ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ସହରର ବିଭିନ୍ନ ଶୀତଳଷଷ୍ଠୀ ଯାତ୍ରା କମିଟିର ସଭ୍ୟମାନେ ଉପସ୍ଥିତ ରହି ନିଜ ଅଞ୍ଚଳରେ ଯାତ୍ରା ଯେଉଁ ରାସ୍ତା ଦେଇ ଯିବ ସେହି ସବୁ ରାସ୍ତାର ମରାମତି ସହ ବିଭିନ୍ନ ସମସ୍ୟା ନେଇ ଆଲୋଚନା କରିଛନ୍ତି । ଏହାସହ ଅନ୍ୟାନ୍ୟ ମୌଳିକ ସୁବିଧାକୁ ନେଇ ମଧ୍ୟ ଆଲୋଚନା ହୋଇଛି ।

ଶୀତଳଷଷ୍ଠୀ ଯାତ୍ରା କମିଟି ପକ୍ଷରୁ ଆସିଥିବା ରାସ୍ତା, ବିଜୁଲି ଓ ପରିମଳ ସମସ୍ୟା ଅଭିଯୋଗ ଉପରେ ଯୁଦ୍ଧକାଳୀନ ଭିତ୍ତିରେ ସମାଧାନ କରାଯିବ ବୋଲି ନିଷ୍ପତ୍ତି ନିଆଯାଇଛି । ଶୀତଳଷଷ୍ଠୀ ଯାତ୍ରାରେ ଲକ୍ଷାଧିକ ଲୋକଙ୍କ ସମାଗମ ହେଉଥିବାରୁ ଏଥର ସୁରକ୍ଷା ବ୍ୟବସ୍ଥା ଉପରେ ଅଧିକ ଗୁରୁତ୍ବ ଦେବ ଜିଲ୍ଲା ପ୍ରଶାସନ । ଚଳିତ ବର୍ଷ ସମ୍ବଲପୁର ସହରର ସବୁ ଅଞ୍ଚଳରେ ସିସିଟିଭି କ୍ୟାମେରା ସହ ଡ୍ରୋନ୍ କ୍ୟାମେରା ମାଧ୍ୟମରେ ସୁରକ୍ଷା ବ୍ୟବସ୍ଥାର ତଦାରଖ କରିବ ଜିଲ୍ଲା ପୋଲିସ ।