ପୁରୀରେ ପ୍ରଶାସନିକ ସ୍ତରରେ ରଥଟଣା ମକଡ୍ରିଲ୍

1 min read

ପୁରୀ: ଶୃଙ୍ଖଳିତ ରଥଯାତ୍ରା ପାଇଁ ଆଜି ପୁରୀ ପ୍ରଶାସନିକ ସ୍ତରରେ ରଥଟଣାର ମକଡ୍ରିଲ କରାଯାଇଛି । ଏହାସହ ଭିଡ଼ ନିୟନ୍ତ୍ରଣ ଓ ଆଇନଶୃଙ୍ଖଳା ନେଇ କରାଯାଇଛି ବ୍ଯବସ୍ଥା । ଅତିରିକ୍ତ ପୋଲିସ ମହାନିର୍ଦ୍ଦେଶକଙ୍କ ନେତୃତ୍ୱରେ ତିନୋଟି ରଥରେ ନିଯୁକ୍ତ ପୋଲିସ ଓ ମାଜିଷ୍ଟ୍ରେଟ ତଥା ପୋଲିସ କର୍ମଚାରୀଙ୍କ ଉପସ୍ଥିତିରେ ରଥ ଟଣା ଅଭ୍ୟାସ କରାଯାଇଛି । ଅନ୍ୟପଟେ ପ୍ରବଳ ଭକ୍ତଙ୍କ ସମାଗମକୁ ନେଇ ଟ୍ରାଫିକ ପାଇଁ ସ୍ୱତନ୍ତ୍ର ମୋବିଲିଟି ପ୍ଲାନ ପ୍ରସ୍ତୁତ ହୋଇଥିବା ବେଳେ ଚଳିତବର୍ଷ ନୂଆ ଟେକ୍ନୋଲଜି ଆପଣେଇଛି ପୁରୀ ପୋଲିସ l ନୂଆ AI ଟେକନୋଲଜି MU ଡ୍ରୋନ ଦ୍ବାରା ହେବ ନିୟନ୍ତ୍ରଣ ।

ଚଳିତବର୍ଷ ରଥଯାତ୍ରାରେ ବିରଳ ଯୋଗ ପଡ଼ିଛି । ଦୁଇଦିନ ହେବ ରଥଟଣା । ଶୃଙ୍ଖଳିତ ଘୋଷଯାତ୍ରା ପାଇଁ ପୋଲିସ ପ୍ରସ୍ତୁତ । ଏଥିପାଇଁ ପୁରୀ ରିଜର୍ଭ ପୋଲିସ୍ ଲାଇନ ପଡ଼ିଆରେ କରାଯାଇଛି ମକଡ୍ରିଲ୍ । ଭିଡ ଭିତରେ ରଥ ଗୁଡିକ କିଭଳି ଟଣାଯିବ ? ଇନର ଓ ଆଉଟଡୋର କର୍ଡନ କିଭଳି ରହିବ ?  ମାଜିଷ୍ଟ୍ରେଟଙ୍କ ଦ୍ବାରା ରଥ କିଭଳି ନିୟନ୍ତ୍ରଣ କରାଯିବ ? ତାହାର ଅଭ୍ୟାସ ଓ ପ୍ରଶିକ୍ଷଣ ଦିଆଯାଇଛି । ଅଭ୍ୟାସରେ ସାମିଲ ହୋଇଥିଲେ ମାଜିଷ୍ଟ୍ରେଟ, ପୋଲିସ, ଏସଓଜି, ଆରଏଏଫ ଅଧିକାରୀ ଓ କର୍ମଚାରୀ । ଚଳିତବର୍ଷ ରଥଯାତ୍ରାରେ ସର୍ବାଧିକ ୧୮୦ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହେବେ । ବମ୍ ସ୍କ୍ୱାଡ, ଡଗ୍ ସ୍କ୍ୱାଡ ସହ ସିସିଟିଭି ସର୍ଭେଲାନ୍ସରେ ରହିବ ସମସ୍ତ କ୍ଷେତ୍ର । ସେପଟେ ରଥଯାତ୍ରା ଦିନ ରାଷ୍ଟ୍ରପତି ଗସ୍ତକୁ ନେଇ ସ୍ବତନ୍ତ୍ର ବ୍ଯବସ୍ଥା କରାଯାଇଛି ।

ରଥଯାତ୍ରା ପାଇଁ ସ୍ଵତନ୍ତ୍ର ଟ୍ରାଫିକ ମୋବିଲିଟି ପ୍ଲାନ୍ ପ୍ରସ୍ତୁତ କରାଯାଇଛି । ଯାହା ୬ ତାରିଖରୁ ଲାଗୁ ହେବ । ସେହିପରି ସନ୍ଧ୍ୟା ଦର୍ଶନ, ବାହୁଡା଼, ସୁନାବେଶ ଓ ଅନ୍ୟ ଦିନରେ ଭିଡ଼କୁ ଦେଖି ଟ୍ରାଫିକ ବ୍ୟବସ୍ଥା କରାଯିବ । ସାମ୍ବାଦିକ ସମ୍ମିଳନୀରେ ଏନେଇ ସୂଚନା ଦେଇଛନ୍ତି ଟ୍ରାଫିକ ଏଡିଜି ଦୟାଲ ଗଙ୍ଗୱାଲ । ଚଳିତବର୍ଷ ଟ୍ରାଫିକ ନିୟନ୍ତ୍ରଣ ପାଇଁ ନୂଆ AI ବେସ୍ ଟେକ୍ନୋଲଜିରେ ପ୍ରସ୍ତୁତ ଡ୍ରୋନ ବ୍ୟବହାର କରାଯିବ l ଗହଳି ସ୍ଥାନରେ ଡ୍ରୋନ ପହଞ୍ଚିବ ଓ ସେଠାରେ ଲୋକଙ୍କୁ ସଚେତନ କରିବ । ଆଉଟର ଟ୍ରାଫିକରେ ଫସିଯାଇଥିବା ଯାନବାହନକୁ ହ୍ବାଟ୍ସଆପ QR କୋଡ ମାଧ୍ୟମରେ ସହୟତା କରିବ । ଫଳରେ ସେଠାରୁ ବାହାରିବା ପାଇଁ ପୋଲିସ ତାଙ୍କୁ ସହଯୋଗ କରିପାରିବ ।

ଚଳିତବର୍ଷ ୧୮ଟି ସ୍ଥାନରେ ପାର୍କିଂ ବ୍ୟବସ୍ଥା କରାଯାଇଛି । ଦୁଇ ଚକିଆ ଗାଡ଼ି ପାର୍କିଂ ପାଇଁ ୬ଟି ସ୍ଥାନ ଚିହ୍ନଟ ହୋଇଥିବାବେଳେ ୨୪ ଘଣ୍ଟିଆ ଟ୍ରାଫିକ କଣ୍ଟ୍ରୋଲ ରୁମ୍ କାର୍ଯ୍ୟ କରିବ । ଭୁବନେଶ୍ୱର, କୋଣାର୍କ ଏବଂ ବ୍ରହ୍ମଗିରିରୁ ଆସୁଥିବା ଶ୍ରଦ୍ଧାଳୁ ଯେଭଳି କୌଣସି ଅସୁବିଧା ନହେବ ସେ ନେଇ ବିଶେଷ ଧ୍ୟାନ ଦିଆଯିବ l ଗ୍ରୀନ କରିଡ଼ରରେ କେବଳ ଜରୁରୀ କାଳୀନ ସେବାର ବ୍ୟବସ୍ଥା ହୋଇଥିବା ବେଳେ ରଥଯାତ୍ରାରେ ନିୟୋଜିତ ଅଧିକାରୀ, ସେବାୟତ ଓ ସହରବାସୀଙ୍କ ପାଇଁ ଟ୍ରାଫିକ ବ୍ୟବସ୍ଥା କରାଯାଇଛି । ଜନଗହଳି ନିୟନ୍ତ୍ରଣ ଓ ଟ୍ରାଫିକ ସୁପରିଚାଳନା ପାଇଁ ସ୍ୱତନ୍ତ୍ର ଭାବେ ୫୦ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହେବା ସହ ୪ ଶହ ଅଫିସର ମୁତୟନ ହେବେ ।

ଆଉ ମାତ୍ର ଦିନକ ପରେ ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା । ତେଣୁ ଶନିବାର ଦିନ ରଥ ଆଜ୍ଞାମାଳ ବିଜେ ହୋଇ ୩ ରଥ ସିଂହଦ୍ୱାରକୁ ନିଆଯିବ ।