ଆସିଲାନି ଆମ୍ବୁଲାନ୍ସ, ପାହାଡ଼ିଆ ରାସ୍ତାରେ ଟୋକେଇରେ ଡ଼ାକ୍ତରଖାନା ଗଲେ ପ୍ରସୂତି

ବାଲିଗୁଡ଼ା: କନ୍ଧମାଳରେ ପୁଣି ଜନନୀ ଯନ୍ତ୍ରଣା । ଗାଁ କୁ ରାସ୍ତା ନଥିବାରୁ ପାଖାପାଖି ସାତ କିଲୋମିଟର ଟୋକେଇରେ ବୁହାହେଲେ ପ୍ରସୂତି ମହିଳା । କନ୍ଧମାଳ ଜିଲ୍ଲା ତୁମୁଡ଼ିବନ୍ଧ ବ୍ଳକ ଅନ୍ତର୍ଗତ କରୁକୁଡୁପା  ପଞ୍ଚାୟତର  ଶାନ୍ଦେବଣ୍ଡାଙ୍ଗି ଗାଁରେ ଘଟିଛି ଏଭଳି ଘଟଣା ।

ସୂଚନା ଅନୁଯାୟୀ, ସେହି ଗାଁର ଆଶିଷ ଦିଗାଲଙ୍କ ସ୍ତ୍ରୀ ରଜନୀ ଦିଗାଲଙ୍କୁ ଜନନୀ ଯନ୍ତ୍ରଣା ହୋଇଥିଲା । ଏନେଇ ଗାଁ ଲୋକେ ଆମ୍ବୁଲାନ୍ସକୁ ଫୋନ୍‌ କରିଥିଲେ  । କିନ୍ତୁ ରାସ୍ତା ଖରାପ ଯୋଗୁଁ ଆମ୍ବୁଲାନ୍ସ ଆସିପାରିନଥିଲା ।  ସମ୍ପର୍କୀୟ ଟୋକେଇରେ ବୋହି ଜଙ୍ଗଲ ରାସ୍ତା ଦେଇ ଶାନ୍ଦେବଣ୍ଡାଙ୍ଗୀ ରୁ ସିନ୍ଦୀପଙ୍କାଲ ଗ୍ରାମ ପର୍ଯ୍ୟନ୍ତ ବୋହି ଆଣିଥିଲେ ।

ପରେ ଏକ ଅଟୋ ସାହାଯ୍ୟରେ ତୁମୁଡିବନ୍ଧ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଇଥିଲେ ପ୍ରସୂତିଙ୍କୁ । ସେଠାରେ ମହିଳା ଜଣକ ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଥିବାବେଳେ ଉଭୟ ସୁସ୍ଥ ଅବସ୍ଥାରେ ଘରକୁ ଫେରିଥିବା ଜଣାପଡିଛି ।

ସୂଚନା ପ୍ରକାରେ ସାନ୍ଦେ ବଣ୍ଡାଙ୍ଗୀ,ଗୁଗୁଡ଼ି ସୁଗା,ପୁନ୍ଦେଡି ୩ଟି ଗ୍ରାମକୁ ରାସ୍ତାନାହିଁ । ଫଳରେ ଗାଁ କୁ ଗାଡ଼ି ମୋଟର ଯାଇପାରେନାହିଁ ।  ଗ୍ରାମବାସୀ ଏହିପରି ବାରମ୍ବାର ରୋଗୀଙ୍କୁ କୁର୍ତ୍ତମଗଡ଼ ପର୍ଯ୍ୟନ୍ତ ଆଣିବାପାଇଁ ଏଭଳି ସମସ୍ୟାର ସାମ୍ନା କରନ୍ତି ।

Leave a Reply