ଆମ୍ବୁଲାନ୍ସ ଆସିପାରିଲାନି ବୋଲି ପ୍ରସୂତିଙ୍କୁ ଖଟିଆରେ ବୋହିନେଲେ ମହିଳା

ମାଲକାନାଗିରି: ପୁଣି ଜନନୀ ଯନ୍ତ୍ରଣାରେ ଛଟପଟ ହେଲେ ପ୍ରସୂତି ମହିଳା । ୪ କିମି ଖଟିଆରେ ବୁହାହେଲେ ପ୍ରସୂତି । ଏଥର ପୁରୁଷ ନୁହଁ ମହିଳା ମାନେ ଖଟିଆରେ ବୋହିନେଲେ ମହିଳାଙ୍କୁ । ଅଧାବାଟରେ ଶିଶୁ କନ୍ୟାକୁ ଜନ୍ମ ଦେଲେ ପ୍ରସୂତି ମହିଳା । ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲା ଖଇରପୁଟ ବ୍ଲକ୍‌ ରସବେଡ଼ା ପଞ୍ଚାୟତର ଗୁଟାଗୁଡ଼ା ଗାଁରେ ।

ସୂଚନା ଅନୁଯାୟୀ, ସେହି ଗାଁର ଲକ୍ଷ୍ମଣ ଗଲୋରୀଙ୍କ ସ୍ତ୍ରୀଙ୍କର ଆଜି ପ୍ରସବ ଯନ୍ତ୍ରଣା ହୋଇଥିଲା । ଏନେଇ ପରିବାର ଲୋକେ ଆମ୍ବୁଲାନ୍ସକୁ ଖବର ଦେଇଥିଲେ ମଧ୍ୟ ଆମ୍ବୁଲାନ୍ସଟି ରାସ୍ତା ଖରାପ ଯୋଗୁଁ  ଅଧା ରାସ୍ତାରେ ଅଟକି ରହିଥିଲା ।

କିନ୍ତୁ ଆଉ କାହାକୁ ଅପେକ୍ଷା ନକରି ଜଣେ ଆଶାକର୍ମୀଙ୍କ ସମେତ ଗ୍ରାମର କିଛି ମହିଳା ୪ କିଲୋମିଟର ଆମ୍ବୁଲାନ୍ସ ପର୍ଯ୍ୟନ୍ତ ବୋହିନେଇଥିଲେ । ପ୍ରସୂତି ଆମ୍ବୁଲାନ୍ସ ପାଖରେ ପହଞ୍ଚିବା ପରେ ମଧ୍ୟ ଆମ୍ବୁଲାନ୍ସଟି ମାଟିରେ ଦବିଯାଇଥିବାରୁ ବାହାରକୁ ବାହାରି ପାରିନଥିଲା ।

ବହୁ କଷ୍ଟରେ ଆମ୍ବୁଲାନ୍ସ ବାହାରିବା ପରେ ପ୍ରସୂତିଙ୍କୁ ମେଡିକାଲକୁ ନିଆଯାଇଥିଲା । କିନ୍ତୁ ଡ଼ାକ୍ତରଖାନାକୁ ଆଣିବା ବାଟରେହିଁ  ଶିଶୁ କନ୍ୟାକୁ ଜନ୍ମ ଦେଇଥିଲେ ପ୍ରସୂତି । ଉଭୟ ମାଆ ଛୁଆଙ୍କୁ ମାଲକାନଗିରି ଜିଲ୍ଲା ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି।

Leave a Reply