ସରକାରୀ କ୍ୱାର୍ଟର୍ସରୁ ଗର୍ଭବତୀଙ୍କ ମୃତଦେହ ଉଦ୍ଧାର, ସ୍ୱାମୀ ଓ ଦିଅର ମିଶି ହତ୍ୟା କରିଥିବା ଅଭିଯୋଗ

ଭୁବନେଶ୍ୱର: ଭୁବନେଶ୍ୱର ପୋଲିସ ସେବା ଭବନ ପଛପଟ ସରକାରୀ କ୍ୱାର୍ଟର୍ସରୁ ଗର୍ଭବତୀ ମହିଳାଙ୍କ ମୃତଦେହ ଉଦ୍ଧାର। ମୃତ ମହିଳାଙ୍କ ନାଁ ସୁମିତ୍ରା କାଟିଆ, ଘର ନୟାଗଡ଼। ଗତକାଲି ବିଳମ୍ବିତ ରାତିରେ ସରକାରୀ ବାସଭବନରେ ଘଟିଛି ଅଘଟଣ । ବେକରେ ରଶି ଲାଗିଥିବା ଅବସ୍ଥାରେ ମହିଳାଙ୍କ ମୃତଦେହ ଉଦ୍ଧାର କରାଯାଇଛି । ବ୍ୟବଚ୍ଛେଦ ପାଇଁ ପଠାଯାଇଛି ସୁମିତ୍ରାଙ୍କ ମୃତଦେହ । କ୍ୟାପିଟାଲ ଥାନା ପୋଲିସ ଏ ନେଇ ତନାଘନା ଆରମ୍ଭ କରିଛି ।

ସୁମିତ୍ରାଙ୍କ ବାପଘର ଲୋକ ହତ୍ୟା ଅଭିଯୋଗ ଆଣିଛନ୍ତି । ଯୌତୁକ ପାଇଁ ସୁମିତ୍ରାଙ୍କୁ ନିର୍ଯାତନା ଦିଆଯାଉଥିବା ଅଭିଯୋଗ ହୋଇଛି। ସ୍ୱାମୀ ଓ ଦିଅର ମିଶି ହତ୍ୟା କରିଥିବା ବାପଘର ଲୋକ ଅଭିଯୋଗ କରିଛନ୍ତି । ସୁମିତ୍ରାଙ୍କ ସ୍ୱାମୀ ଏକ ବୈଷୟିକ କଲେଜରେ ପିଅନ ଭାବେ କାର୍ଯ୍ୟ କରନ୍ତି । ୨ ବର୍ଷ ତଳେ ତାଙ୍କର ବାହାଘର ହୋଇଥିଲା । ଅନ୍ୟପକ୍ଷରେ ହତ୍ୟା ଅଭିଯୋଗକୁ ପୁଅ ଘର ପକ୍ଷରୁ ଖଣ୍ଡନ କରାଯାଇଛି । ପୋଲିସ ତଦନ୍ତର ସାମ୍ନା କରିବାକୁ ପ୍ରସ୍ତୁତ ଥିବା ପୁଅଘର ଲୋକ କହିଛନ୍ତି ।